ସାକ୍ଷାତ୍‌କାରରେ ସଫଳତା ଲାଗି…

ଶିକ୍ଷାଗତ ଯୋଗ୍ୟତା ସତ୍ତ୍ୱେ ଅନେକ ସମୟରେ ସାକ୍ଷାତ୍‌କାରରେ ବିଫଳତା ମିଳିଥାଏ। ତେବେ ଏଥିରେ ସଫଳ ହେବା ପାଇଁ ବିଭିନ୍ନ ଦିଗରୁ ପ୍ରସ୍ତୁତି କରିବାକୁ ହେବ। ସାକ୍ଷାତକାର ଦେବାକୁ ଯିବା ପୂର୍ବରୁ ସର୍ବପ୍ରଥମେ କେଉଁ ସବୁ ବିଷୟରେ ଆପଣଙ୍କୁ ପ୍ରଶ୍ନ ଆସିବ ସେନେଇ ପ୍ରସ୍ତୁତ ହୁଅନ୍ତୁ। ନଚେତ୍‌ ସେହି ସବୁ ବିଷୟରେ ପ୍ରଶ୍ନର ଉତ୍ତର ଦେଇ ନ ପାରିଲେ ଆପଣଙ୍କ ଅଜ୍ଞତାକୁ ନେଇ ସେଠାରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇପାରେ।
ନିଜର ଆଗ୍ରହ ଥିବା କ୍ଷେତ୍ରରେ ହିଁ କ୍ୟାରିୟର ଚୟନ କରନ୍ତୁ। ଫଳରେ ଏ କ୍ଷେତ୍ରରେ ଆପଣ ନିଜ ଆଡୁ ଭିନ୍ନ କିଛି କରିବା ପାଇଁ ପ୍ରୟାସ କରିବେ। ଫଳରେ ଆପଣ ଏ କ୍ଷେତ୍ରରେ ନିଜକୁ ଇଣ୍ଟରଭ୍ୟୁରେ ଯୋଗ୍ୟ ପ୍ରମାଣିତ କରିପାରିବେ।
ସାକ୍ଷାତକାର ନିମନ୍ତେ ପ୍ରତିଦିନ ଅଭ୍ୟାସ କରନ୍ତୁ। କିଭଳି ସମସ୍ତଙ୍କ ସାମ୍ନାରେ କହିବେ ସେକଥା ଭାବି ପ୍ରସ୍ତୁତ ହୁଅନ୍ତୁ। ସଫଳ ନ ହେବା ପର୍ଯ୍ୟନ୍ତ ବାରମ୍ବାର ବିଷୟବସ୍ତୁ ପଢ଼ନ୍ତୁ। ଏହା ସହ ନିଜ ବ୍ୟକ୍ତିତ୍ୱ ବଢ଼ାଇବାକୁ ପ୍ରୟାସ କରନ୍ତୁ।
ସାକ୍ଷାତକାରକୁ ଯିବା ସମୟରେ ପରିଧାନର ଏକ ବିଶେଷ ଗୁରୁତ୍ୱ ରହିଥାଏ। ସେଥିପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ। ଯେଉଁ କମ୍ପାନୀକୁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ସେଠି ଅନ୍ୟମାନେ କିଭଳି ପୋଷାକ ପିନ୍ଧୁଛନ୍ତି ଲକ୍ଷ୍ୟ କରନ୍ତୁ। ସେହି ଅନୁସାରେ ନିଜେ ପ୍ରସ୍ତୁତ ହୋଇ ଯାଆନ୍ତୁ।
ଏହି ସମୟରେ ଆତ୍ମବିଶ୍ୱାସ ହରାନ୍ତୁ ନାହିଁ। କୌଣସି ବିଷୟରେ ଜାଣିନାହାନ୍ତି ଭାବି ଆଦୌ ନର୍ଭସ ହୁଅନ୍ତୁ ନାହିଁ। ବରଂ ଆତ୍ମବିଶ୍ୱାସ ଥିବା ଅନୁଭବ କଲେ ଆପଣ ସଫଳ ହୋଇପାରିବେ।