ଖୁସି ଖବର:ଆଜି ନିଯୁକ୍ତି ପାଇବେ ୧୬ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୫ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୧୬ହଜାର ୯ଜଣ କନିଷ୍ଠ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମଠାରେ ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷୟିତ୍ରୀଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ମାର୍ଗଦର୍ଶନ କରାଇବେ। କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ଚୟନ ହୋଇଥିବା ୧୬ହଜାର ୯ ଜଣ କନିଷ୍ଠ ଶିକ୍ଷୟିତ୍ରୀଶିକ୍ଷକଙ୍କ ମଧ୍ୟରୁ ଅନୁଗୋଳ ଜିଲାରେ ୪୨୪ଜଣ, ବାଲେଶ୍ୱର ୬୦୦ଜଣ, ବରଗଡ଼ ୪୭୯ଜଣ, ଭଦ୍ରକ ୨୬୦ଜଣ, ବଲାଙ୍ଗୀର ୧୦୮୦ଜଣ, ବୌଦ୍ଧ ୬୫ଜଣ, କଟକ ୮୯୩ଜଣ, ଦେବଗଡ଼ ୨୧ଜଣ, ଢେଙ୍କାନାଳ ୫୮୩ଜଣ, ଗଜପତି ୧୩ଜଣ, ଗଞ୍ଜାମ ୧୨୬୪ଜଣ, ଜଗତ୍‌ସିଂହପୁର ୮୮ଜଣ, ଯାଜପୁର ୮୭୨ଜଣ, ଝାରସୁଗୁଡ଼ା ୩୮ଜଣ, କଳାହାଣ୍ଡି ୮୧୧ ଜଣ, କନ୍ଧମାଳ ୧୫୧ଜଣ, କେନ୍ଦ୍ରାପଡ଼ା ୧,୦୩୮ଜଣ, କେନ୍ଦୁଝର ୧,୩୨୯ ଜଣ, ଖୋର୍ଦ୍ଧା ୭୫୩ ଜଣ, କୋରାପୁଟ ୯୨୨ଜଣ, ମାଲକାନଗିରି ୫୫୫ଜଣ, ମୟୂରଭଞ୍ଜ ୮୨୭ ଜଣ, ନବରଙ୍ଗପୁର ୮୬୦ ଜଣ, ନୟାଗଡ଼ ୮୩ ଜଣ, ନୂଆପଡ଼ା ୨୨୧ ଜଣ, ପୁରୀ ୭୩୩ଜଣ, ରାୟଗଡ଼ା ୫୧୧ ଜଣ, ସମ୍ବଲପୁର ୨୧୮ ଜଣ, ସୁବର୍ଣ୍ଣପୁର ୧୫୭ ଜଣ ଏବଂ ସୁନ୍ଦରଗଡ଼ରେ ୧୬୦ଜଣ ନିଯୁକ୍ତି ପାଇବାକୁ ଯାଉଛନ୍ତି।