ଖୁସି ଖବର: ଏବେ ଦେଶରେ ବ୍ୟବହାର ହେବ କରୋନା ଔଷଧ ୨-ଡିଜି…

ନୂଆଦିଲ୍ଲୀ,୧୭।୫: ଏଣିକି ଦେଶରେ ନୂଆ କରୋନା ଔଷଧ ବ୍ୟବହାର କରାଯିବ। କରୋନା ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍‌(୨-ଡିଜି) ଲୋକାର୍ପଣ ସୋମବାର କରାଯାଇଛି। ଡିଆର୍‌ଡିଓ ପକ୍ଷରୁ ବିକଶିତ କରାଯାଇଥିବା ଏହି ନୂଆ ଔଷଧକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଲୋକାର୍ପିତ କରିଛନ୍ତି। ଏହାକୁ ମଧ୍ୟମ ତଥା ଗୁରୁତର ଲକ୍ଷଣ ପ୍ରକାଶ ପାଇଥିବା କରୋନା ଆକ୍ରାନ୍ତଙ୍କଠାରେ ପ୍ରୟୋଗ କରାଯିବ। ୨-ଡିଜିକୁ ଡ୍ରଗ୍‌ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆଙ୍କ ପକ୍ଷରୁ ବ୍ୟବହାର କରାଯିବା ଅନୁମତି ଦିଆଯାଇଛି। ୨-ଡିଜିି ଔଷଧକୁ ଡିଆର୍‌ଡିଓର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର ମେଡ଼ିସିନ୍‌ ଆଣ୍ଡ୍‌ ଆଲାଏଡ୍‌ ସାଇନ୍ସ୍‌ ଏବଂ ହାଇଦ୍ରାବାଦ୍‌ର ସେଣ୍ଟର ଫର୍‌ ସେଲୁଲାର୍‌ ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜିର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି। ଏହାର ଉତ୍ପାଦନ ଦାୟିତ୍ୱ ହାଇଦ୍ରାବାଦ୍‌ସ୍ଥିତ ଡ. ରେଡ୍ଡୀ ଲାବୋରେଟୋରୀଜ୍‌ ଦ୍ୱାରା କରାଯାଉଛି। ଏହି ଔଷଧ ପ୍ରୟୋଗ ଦ୍ୱାରା କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ ଉପରେ ନିର୍ଭରଶୀଳତା କମ୍‌ ପଡ଼ିବ। ଏହାର କ୍ଲିନିକାଲ ଟ୍ରାଏଲ୍‌ ସଫଳ ରହିଛି। ଏହାର ପ୍ରଯୋଗ ଦ୍ୱାରା କରୋନା ଆକ୍ରାନ୍ତ ଶୀଘ୍ର ରୋଗମୁକ୍ତ ହେବାର ସମ୍ଭାବନା ରହିଛି।

Share