ଆସିଲା ଖୁସି ଖବର, ଓମିକ୍ରନ୍‌ ପାଇଁ ଆଣ୍ଟିବଡ଼ି କକ୍‌ଟେଲ୍‌ ଥେରାପିକୁ ମଞ୍ଜୁରୀ…

ବେଜିଂ,୧୧।୧୨: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଖୁସି ଖବର ମିଳିଛି। ଚାଇନା ଏହାର ଆଣ୍ଟିବଡି କକ୍‌ଟେଲ୍‌ ଥେରାପିକୁ ଜରୁରୀକାଳୀନ କ୍ଷେତ୍ରରେ ବ୍ୟବହାର କରିବା ଲାଗିମଞ୍ଜୁର ପ୍ରଦାନ କରାଯାଇଛି। ଯାହା ହସ୍ପିଟାଲରେ ଭର୍ତ୍ତି ହେବା କିମ୍ବା ମୃତ୍ୟୁ ହେବାର ଆଶଙ୍କା ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ପ୍ରଭାବଶାଳୀ ହୋଇ ପାରିବ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ ରିପୋର୍ଟ କରିଛି ଯେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଅକ୍ଟୋବରରେ ନ୍ୟାଶନାଲ ମେଡିକାଲ ପ୍ରଡକ୍ଟ ଆଡମିନିଷ୍ଟ୍ରେଶନରେ ଏକ ଆବେଦନ ଦାଖଲ କରାଯାଇଥିଲା। ଏହାକୁ ଚାଇନାର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକଙ୍କଠାରୁ ଜରୁରୀକାଳୀନ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଚାଇନା ଏବଂ ଆମେରିକାର ମୁଖ୍ୟାଳୟର ସିଙ୍ଘୁଆ ୟୁନିଭରସିଟି, ଶେଞ୍ଜେନର ତୃତୀୟ ପିପୁଲ୍ସ ହସପିଟାଲ ଏବଂ ବ୍ରାଇ ବାୟୋ ସାଇନ୍ସେସ ଦ୍ୱାରା ମିଳିତ ଭାବେ ଏହି ଥେରାପି ଆରମ୍ଭ କରାଯାଇଥିବାବେଳେ ଏହା ଓମିକ୍ରନ ଚିକିତ୍ସା କ୍ଷେତ୍ରରେ ବେଶ୍‌ ଉପଯୋଗୀ ହୋଇପାରିବ।

ସିଙ୍ଘୁଆ ସ୍କୁଲ ଅଫ ମେଡିସିନ୍‌ର ଅନୁସନ୍ଧାନ ଏବଂ ବିକାଶର ନେତୃତ୍ୱ ନେଉଥିବା ପ୍ରଫେସର୍‌ ଝାଙ୍ଗ ଲିଙ୍କି କହିଛନ୍ତି ଯେ, ଏହି କକ୍‌ଟେଲ୍‌ ଥେରାପି ବେଶ୍‌ ସଫଳ ହେବାର ଆଶା ରହିଛି। ଅଗଷ୍ଟ ଶେଷରେ ବ୍ରାଇ ବାୟୋ ସାଇନ୍ସେସ ଘୋଷଣା କରିଥିଲା ଯେ ଏହାର କକ୍‌ଟେଲ୍‌ ଥେରାପିରେ ଆମେରିକାର, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ଆର୍ଜେଣ୍ଟିନା ଏବଂ ଫିଲିପାଇନ୍ସରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହାରରେ ୭୮ ପ୍ରତିଶତ ହ୍ରାସ ଘଟିଛି।

ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ୭୦୦ ରୁ ଅଧିକ ରୋଗୀଙ୍କଠାରେ ଏହା ବ୍ୟବହୃତ ହୋଇଛି। ବେଜିଂ ଡେଲିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଡେଲ୍ଟା, ଲାମ୍ବଡା ଏବଂ ଏମୟୁ ଭାରିଆଣ୍ଟ ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଥେରାପି ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଗୋଟିଏ ଡୋଜ୍‌ ନେଲେ ଆଣ୍ଟିବଡି କକ୍‌ଟେଲ୍‌ ମଣିଷ ଶରୀରରେ ପ୍ରାୟ ୯ ରୁ ୧୨ ମାସ ପର୍ଯ୍ୟନ୍ତ ରହିପାରେ। କ୍ଲିନିକାଲ ପରୀକ୍ଷଣରେ ଦେଖାଯାଇଥିବା ଥେରାପିଟିଭ ସଫଳତାକୁ ଦୃଷ୍ଟିରେ ରଖି ଗବେଷକ କହିଛନ୍ତି।

Share