ଖୁସି ଖବର, ବୁଷ୍ଟର ଡୋଜ୍‌ ଯୋଗୁ ପ୍ରତିରୋଧକ ଶକ୍ତି ବଢୁଛି ୪ ଗୁଣା…

ତେଲଅଭିବ୍‌,୨୩।୮: କରୋନା ମହାମାରୀ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ସୁଫଳ ମିଳିଛି। ଭାକ୍ସିନ୍‌ର ଦୁଇ ଡୋଜ ପରେ, ବୁଷ୍ଟର ଡୋଜ ନେବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ୪ ଗୁଣା ବୃଦ୍ଧି ପାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଇସ୍ରାଏଲର ହୋଇଥିବା ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଫାଇଜର ଭାକ୍ସିନ୍‌ର ବୁଷ୍ଟର୍‌ ଡୋଜ ପ୍ରତିରୋଧକ ପ୍ରଣାଳୀକୁ ସୁଦୃଢ଼ କରିଥାଏ। ଏହା ସହିତ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ମଧ୍ୟ ସକ୍ଷମ ହୋଇଥାଏ।
କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏହି ଗବେଷଣା ରିପୋର୍ଟ ଯୋଗୁ ଚିକିତ୍ସା ବିଜ୍ଞାନୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି। ଡେଲ୍ଟା ଭାରିଆଣ୍ଟର ଭୟଙ୍କର ଲକ୍ଷଣକୁ ଦୃଷ୍ଟିରେ ରଖି ଆମେରିକା, କାନାଡା, ଫ୍ରାନ୍ସ ଏବଂ ଜର୍ମାନୀ ନିଜ ନାଗରିକମାନଙ୍କୁ ବୁଷ୍ଟର୍‌ ସଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ଦିନ ଇସ୍ରାଏଲ ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନର ରିପୋର୍ଟ ପ୍ରକାଶ ପାଇଛି। ବୁଷ୍ଟର୍‌ ଡୋଜ ନେବା ଦ୍ୱାରା ୮୬ ପ୍ରତିଶତ ଲୋକେ କରୋନା ସଂକ୍ରମଣରୁ ଦୂରେଇ ରହି ପାରିବେ। ସେହିପରି ଗୁରୁତର ସଂକ୍ରମଣ କ୍ଷେତ୍ରରେ ବୁଷ୍ଟର ସଟ ୯୨ ପ୍ରତିଶତ ପ୍ରଭାବଶାଳୀ ହେବ ବୋଲି ଜଣାପଡିଛି। ଇସ୍ରାଏଲରେ, ଡେଲଟା ଭାରିଆଣ୍ଟର ସଂକ୍ରମଣକୁ ରୋକିବା ପାଇଁ ମ୍ୟାକାବି ହେଲଥ୍‌ ସର୍ଭିସେସ୍‌ ପକ୍ଷରୁ ବୁଷ୍ଟର୍‌ ଡୋଜ ଯୋଗାଇ ଦିଆଯାଉଛି। ଏହାପୂର୍ବରୁ, ଫାଇଜର ଏବଂ ମଡର୍ନା ସେମାନଙ୍କ ଅଧ୍ୟୟନରେ ବୁଷ୍ଟର୍‌ ସଟ ନେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଥିବା ଦାବି କରିଥିଲେ। ସଂକ୍ରମଣ ବୃଦ୍ଧି ଘଟୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲରେ ଜୁଲାଇ ୩୦ରୁ ଲୋକଙ୍କୁ ତୃତୀୟ ଡୋଜ ଦେବା ଆରମ୍ଭ ହୋଇଛି। ସମ୍ପ୍ରତି ଇସ୍ରାଏଲ୍‌ରେ ପାଞ୍ଚ ମାସ ପୂର୍ବରୁ ଦ୍ୱିତୀୟ ଡୋଜ ନେଇଥିବା ଲୋକଙ୍କ ବୁଷ୍ଟର ଡୋଜ ଦିଆଯାଉଛି।

Share