ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସିଖବର: ବିଜୁଳି ଦର କମାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩।୨: ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖବର। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ(ଓଇଆର୍‌ସି) ପକ୍ଷରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଯାଇଛି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିବ। ପୂର୍ବରୁ ବିପିଏଲ୍‌ ଉପଭୋକ୍ତାଙ୍କୁ ୩୦ ୟୁନିଟ୍‌ ପିଛା ୮୦ ଟଙ୍କା ଲେଖାଏ ଦେବାକୁ ପଡ଼ୁଥିଲା। ଏବେ ଉକ୍ତ ଦେୟକୁ ରାଜ୍ୟ ସରକାର ୧୦ ଟଙ୍କା ହ୍ରାସ କରିଛନ୍ତି। ଏହାଦ୍ୱାରା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଉପଭୋକ୍ତାମାନେ ଉପକୃତ ହେବେ।

ତେବେ ଯେଉଁ ଉପଭୋକ୍ତା କାଗଜ ବଦଳରେ ଇ-ବିଲ ନେବେ, ସେମାନଙ୍କ ପାଇଁ ୧୦ ଟଙ୍କା ରିହାତି (ରିବେଟ୍‌) ଘୋଷଣା କରାଯାଇଛି। ସେହିପରି ଇଭି ଚାର୍ଜିଂ ପାଇଁ ୟୁନିଟ ପିଛା ଦର ୫ ଟଙ୍କା ୫୦ ପଇସାରୁ ୫ ଟଙ୍କାକୁ ହ୍ରାସ କରାଯାଇଛି । ପ୍ରି-ପେଡ୍‌ ସ୍ମାର୍ଟ ମିଟର ଥିବା ଉପଭୋକ୍ତାଙ୍କୁ ୪% ରିହାତି(ରିବେଟ୍‌) ମିଳିବ ବୋଲି କମିଶନ ଘୋଷଣା କରିଛନ୍ତି।

ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ପୂର୍ବରୁ ୪ଟଙ୍କା ୬୦ ପଇସା ଦେବାକୁ ପଡ଼ୁଥିଲା। ଏବେ ଏହି ଦର ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି। ସେହିପରି ମେଗା ଲିପ୍ଟ ଇରିଗେସନ ଉପଭୋକ୍ତାଙ୍କୁ ଟାରିଫରେ ୨ ଟଙ୍କା ଲେଖାଏ ରିହାତି(ରିବେଟ୍‌) ଦିଆଯାଇଛି। ଯାହାଫଳରେ ସେମାନେ ୟୁନିଟ ପିଛା ୩ ଟଙ୍କା ୮୦ ପଇସା ଲେଖାଏ ଇଏସ୍‌ଟିରେ ପାଇବେ। ଧାର୍ଯ୍ୟ ସମୟରେ ଗ୍ରାମାଞ୍ଚଳ(LT) ଉପଭୋକ୍ତା ବିଲ ପୈଠ କଲେ ଟାରିଫରେ ୧୦ ପଇସା ରିହାତି ଦିଆଯାଇଛି। ଏହାଛଡ଼ଶ ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ମଧ୍ୟ ଟାରିଫ ହ୍ରାସ କରାଯାଇଛି। ସେଗୁଡ଼ିକୁ ୧୦ ପଇସା ଲେଖାଏ ଟାରିଫରେ ରିହାତି ନେଇ ଘୋଷଣା କରାଯାଇଛି।

Share