ଭୁବନେଶ୍ୱର,୨୩।୩: ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏ ବର୍ଷ ବଢିବନି ବିଦ୍ୟୁତ୍ ଦର। ଏନେଇ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିଛି। ପୂର୍ବଭଳି ପ୍ରଥମ ୫୦ ୟୁନିଟ୍ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଥିବାବେଳେ ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୪ ଟଙ୍କା, ୨୦୦ରୁ ୪୦୦ ୟୁନିଟ୍ ପାଇଁ ୟୁନିଟ୍ ପିଛା ଦର ୫ଟଙ୍କା ୮୦ ପଇସା, ୪୦୦ ୟୁନିଟ୍ରୁ ଅଧିକ ପାଇଁ ୟୁନିଟ୍ ପିଛା ଦର ୬ଟଙ୍କା ୨୦ ପଇସା ରହିଛି। ଚାଷୀଙ୍କ ପାଇଁ ବିଦ୍ୟୁତ୍ ବିଲରେ ମଧ୍ୟ ରିହାତି ରହିବ। ଏଥିସହ ଡିଜିଟାଲ ପେମେଣ୍ଟରେ ମଧ୍ୟ ୪ ପ୍ରତିଶତ ରିହାତି ରଖାଯାଇଛି। ସେହିପରି ଫାଇନ ବ୍ୟବସ୍ଥାକୁ ବାଦ ଦିଆଯାଇଛି ।