CM Kisan Yojana: କୃଷକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ ଖାତାକୁ ଆସିବ କେତେ ଟଙ୍କା…

ଭୁବନେଶ୍ୱର,୮।୯: ନୂଆଁଖାଇରେ ବଡ଼ ଭେଟି ଦେଲେ ସରକାର। ଆଜି ଆକାଉଣ୍ଟକୁ ଆସିବ ସିଏମ କିଷାନ ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ପ୍ରତିକ୍ଷିତ ସି.ଏମ. କିଷାନ ଯୋଜନାର ରବିବାର ନୂଆଁଖାଇ ଅବସରରେ ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରସ୍ଥିତ ତପସ୍ବିନୀ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ ୯୨୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଏହି ଯୋଜନାରେ ଚାଷୀଙ୍କୁ ବର୍ଷକୁ ୪ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଖରିଫ ଓ ରବି ଋତୁ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ଏହି ଟଙ୍କା ମିଳିବ। ଏ ନେଇ ରାଜ୍ୟ କୃଷି ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ଚାଷୀଙ୍କୁ ଏହି ଆର୍ଥିକ ସହୟତା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ। ଏହି ଯୋଜନାରେ ସମସ୍ତ ଚାଷୀ ତଥା ଭୂମିହୀନ, ପିଏମ କିସାନ ଯୋଜନରେ ଅନ୍ତର୍ଭୁକ୍ତ ଚାଷୀ ମଧ୍ୟ ଆର୍ଥିକ ସହାୟତା ପାଇପାରିବେ।  ଚାଷୀମାନେ ନୂଆ ଭାବେ ସିଏମ କିସାନ ଯୋଜନାରେ ସାମିଲ ହେବା ପାଇଁ ପୋର୍ଟାଲରେ ମଧ୍ୟ ଆବେଦନ କରିପାରିବେ। ଏହି ଯୋଜନାରେ ଟଙ୍କା କିସ୍ତି ହିସାବରେ ନୂଆଖାଇ ଏବଂ ଅକ୍ଷୟତୃତୀୟାରେ ଚାଷୀଙ୍କୁ ମିଳିବ।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସେହି କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଯେଉଁମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ((PM-KISAN yojana) ରେ ଅର୍ନ୍ତଭୁକ୍ତ ନାହାନ୍ତି। ତେବେ ଓଡ଼ିଶା ସରକାର ଶୁଭାରମ୍ଭ କରିଥିବା ସିଏମ କିଷାନ ଯୋଜନାରେ ଚାଷୀଙ୍କୁ ବର୍ଷକୁ ୪ ହଜାର ଟଙ୍କା ମିଳିବ। ଅର୍ଥାତ୍‌ ନୂଆଁଖାଇ ଅବସରରେ ପ୍ରଥମ କିସ୍ତିରେ ଆଜି ୨ହଜାର ଟଙ୍କା ମିଳୁଥିବାବେଳେ ଅକ୍ଷୟ ତୃତୀୟାରେ ୨ୟ କିସ୍ତିରେ ଆଉ ୨ହଜାର ଟଙ୍କା ମିଳିବ। ପୂର୍ବରୁ ବିଜେଡି ସରକାର ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଥିଲା।

Share