Categories: ଖେଳ

ଟିମ୍‌ ଇଣ୍ଡିଆ ପାଇଁ ଖୁସିଖବର: ଟି୨୦ ବିଶ୍ୱକପ୍‌ରେ ସିଧାସଳଖ ମିଳିଲା ଏଣ୍ଟ୍ରି

ନୂଆଦିଲ୍ଲୀ,୨୮।୨: ଭାରତୀୟ ମହିଳା କ୍ରିକେଟ ଦଳ ଏଥର ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଦଳ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ପରେ ବିଶ୍ୱକପ ଜିତିବାର ସ୍ବପ୍ନ ପୂରଣ କରିପାରିନାହିଁ। କିନ୍ତୁ ଦଳକୁ ସେମିଫାଇନାଲରେ ପ୍ରବେଶ କରିବାର ଲାଭ ମିଳିଛି। ୨୦୨୪ରେ ବାଂଲାଦେଶରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆ ସିଧାସଳଖ ପ୍ରବେଶ କରିଛି। କାରଣ ବିଶ୍ୱକପ ୨୦୨୩ ଗ୍ରୁପ୍‌ର ଶ୍ରେଷ୍ଠ -୬ ଦଳ ଆଗାମୀ ବିଶ୍ୱକପରେ ସିଧାସଳଖ ପ୍ରବେଶ କରିଥାନ୍ତି।

ଭାରତୀୟ ମହିଳା ଟିମ୍‌ ନିଜ ଗ୍ରୁପରେ ଶ୍ରେଷ୍ଠ ୩ ରେ ସ୍ଥାନ ପାଇଥିଲା। ଏଭଳି ପରିସ୍ଥିତିରେ ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ- ୬ ଟିମ୍‌ ସହିତ ବାଂଲାଦେଶ ଏବଂ ପାକିସ୍ଥାନକୁ ଆୟୋଜକ ଦେଶ ଭାବରେ ପରବର୍ତ୍ତୀ ବିଶ୍ୱକପ୍‌ରେ ଏଣ୍ଟ୍ରି ମିଳିଛି।

ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଗ୍ରୁପ -୧ ରୁ ପ୍ରବେଶ କରିଛନ୍ତି। ଗ୍ରୁପ-୨ରୁ ଇଂଲଣ୍ଡ, ଭାରତ, ୱେଷ୍ଟଇଣ୍ଡିଜ ପ୍ରବେଶ କରିଛନ୍ତି। ଏହି ଟି -୨୦ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ଦଳ ମଧ୍ୟରେ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ଏଭଳି ଦଳ ଯିଏକି ପରବର୍ତ୍ତୀ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି।

ବର୍ତ୍ତମାନ ଆଇସିସି ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ କ୍ୱାଲିଫାୟାର ଆୟୋଜନ କରାଯିବ, ଯେଉଁଥିରୁ ୨ ଟିମ୍‌ର ଚୟନ ହେବ।

ଟି -୨୦ ବିଶ୍ୱକପ ୨୦୨୩ ରେ ଭାରତୀୟ ଦଳର ପ୍ରଦର୍ଶନ:
– ଭାରତ ବନାମ ପାକିସ୍ତାନ – ୭ ଉଇକେଟରେ ବିଜୟ
– ଭାରତ ବନାମ ୱେଷ୍ଟଇଣ୍ଡିଜ – ୬ ଉଇକେଟରେ ବିଜୟ
– ଭାରତ ବନାମ ଇଂଲଣ୍ଡ – ୧୧ ରନ୍‌ରେ ପରାଜୟ
– ଭାରତ ବନାମ ଆୟର୍ଲାଣ୍ଡ – ୫ ରନରେ ବିଜୟ
– ଭାରତ ବନାମ ଅଷ୍ଟ୍ରେଲିଆ – ୫ ରନ୍‌ରେ ପରାଜୟ (ସେମିଫାଇନାଲ)

Share