ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର, ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି, ୧।୧୧(ପ୍ରଶାନ୍ତ କୁମାର ବିଶ୍ବାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର। ବର୍ଷାଦିନ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ତାରିଖରୁ ବାଲେଶର ଜିଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ ବନ୍ଦ ରହିଥିଲା। ତେବେ ଶୀତଋତୁ ଆଗମନରେ ଏହାକୁ ନଭେମ୍ବର ୧ ଅର୍ଥାତ୍‌ ବୁଧବାର ପୂର୍ବାହ୍ନ ୧୦ଟାରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଚଳିତବର୍ଷ ପ୍ରଥମ ଦିନରେ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଟୁରିଷ୍ଟ ଗାଇଡ ମନୋରଞ୍ଜନ ଦାସ ଗାଇଡ କରିଛନ୍ତି। ତାଙ୍କ ସହିତ ପର୍ଯ୍ୟଟକମାନେ ଅଭୟାରଣ୍ୟର ବାଲିଆନାଳ ଫାଟକ ନିକଟରେ ପହଞ୍ଚିଛନ୍ତି। ପର୍ଯ୍ୟଟକ ପହଞ୍ଚିବା ପରେ ସେମାନଙ୍କୁ ବନବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ଚନ୍ଦନ ଲଗାଇ ଓ ମିଠା ଖୁଆଇ ସ୍ବାଗତ କରାଯାଇଛି।
ଏହି ସମୟରେ ବାଲେଶ୍ୱର ଏସିଏଫ ସୁଶ୍ରୀ ସସ୍ମିତା ଦାସ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବେ ନୀଳଗିରି ଉପ-ଜିଲ୍ଲାପାଳ ମନ୍ଦରଧର ମହାଳିକ ଫିତା କାଟି ଗେଟ ଖୋଲିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଲଡିହା ରେଞ୍ଜର ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ସବୁଜବାହିନୀ ଉପସ୍ଥିତ ଥିଲେ। ଚଳିତବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ଗୋହିରାଭୋଳଠାରେ ଥିବା ନେଚର୍ସ ପାର୍କକୁ ଅଧିକ ଆକର୍ଷଣୀୟ କରାଯାଇଛି। ରାତି ରହଣୀ ନିମନ୍ତେ ”ରିସିଆ ପ୍ରକୃତି ନିବାସ“ରେ ୯ଟି ତମ୍ବଘର, ପିଇବା ପାଣି, ଶୌଚାଳୟ ଏବଂ ଆଲୋକ ବ୍ୟବସ୍ଥା, ରୁଚିକର ଖାଦ୍ୟ ସହ ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ପାଇଁ ରିଷିୟା ଡ୍ୟାମରେ ବୋଟିଂର ଅନୁଭୂତି ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିଛି। ବଣ ପାହାଡ ଘେରା ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟ ସହ ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ ଟାୱାର ସହ ଅତି ନିକଟରୁ ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବାର ବେବସ୍ଥା ରହିଛି ।
ଭ୍ରମଣ ନିମନ୍ତେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ର୍ନିଦ୍ଧାରିତ ହୋଇଛି। ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ୩ହଜାର ୮୫୪ ଟଙ୍କା ଧାର୍ଯ୍ୟ ସହ ଅନଲାଇନରେ ବୁକିଂ ଓ ୱେବ ସାଇଟ ଖୋଲାଯାଇଛି। ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଇ, ବଜ୍ରକାପ୍ତା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରଜାତିର ଦେଶୀ ଏବଂ ବିଦେଶୀ ପକ୍ଷୀ ୨୫୦ରୁ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି। ଏଥିପାଇଁ ଓଡିଶା ତଥା ବଙ୍ଗୀୟ ପର୍ଯ୍ୟଟକ ଅଧିକ ଆକୃଷ୍ଟ ହୋଇଥାନ୍ତି। ଗତବର୍ଷ ରାଜସ୍ବ ତୁଳନାରେ ଚଳିତବର୍ଷ ଅଧିକ ରାଜସ୍ବ ଆୟ ହେବ ବୋଲି ବନ ବିଭାଗ ଆଶା ରଖିଛି।

Share