ବୟସ୍କ କଳାକାରଙ୍କ ପାଇଁ ଖୁସିଖବର

ମୁମ୍ବାଇ,୭।୮: ଦେଶରେ କରୋନା ଆତଙ୍କ ଜାରି ରହିଛି। କରୋନାକୁ ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି। ଅଗଷ୍ଟ ୧ରୁ ଦେଶରେ ଅନ୍‌ଲକ୍‌-୩ ଜାରି ରହିଥିବା ବେଳେ କେତେକ କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ଏବେ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ଆରମ୍ଭ ହୋଇଛି। ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ଓ ସିରିୟଲ୍‌ର ଶୁଟିଂରେ ବୟସ୍କ କଳାକାର ଓ ଶିଶୁ କଳାକାରଙ୍କୁ ବାରଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ୬୫ରୁ ଉର୍ଦ୍ଧ୍ୱ ବୟସର ଅଭିନେତା, ଅଭିନେତ୍ରୀ ଓ କ୍ରିୟୁ ମେମ୍ବର ଫିଲ୍ମ ଓ ଟେଲିଭିଜନର ଶୁଟିଂରେ ସାମିଲ ହୋଇପାରିବେ। ଏହି ମାମଲାରେ ଶୁକ୍ରବାର ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ଯୋଗୁ ଦେଶରେ ମାର୍ଚ୍ଚ ଶେଷ ସପ୍ତାହରୁ ଲକ୍‌ଡାଉନ ଲାଗୁ ହୋଇଥିଲା। ତେବେ ଲକ୍‌ଡାଉନରେ ଲାଗୁହୋଇଥିବା କଟକଣା କୋହଳ ହେବା ପରେ ଏବେ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସର କଳାକାରଙ୍କୁ ଶୁଟିଂ କରିବାକୁ ଅନୁମତି ଦିଆଯାଇ ନ ଥିଲା। ମହାରାଷ୍ଟ୍ର ସରକାର ଏନେଇ ଏକ ଆଦେଶ ଜାରି କରିଥିଲେ। ଯାହାକୁ ବରିଷ୍ଠ କଳାକାରମାନେ ବିରୋଧ କରି ହାଇକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ଶୁକ୍ରବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କ ଏହି ଆଦେଶକୁ ଖାରଜ କରିଦେଇଥିବା ଜଣାପଡ଼ିଛି।

Share