ସେଞ୍ଚୁରିଅନ୍,୨୫।୧୨: ଭାରତୀୟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ଖେଳିବ। ପ୍ରଥମ ଟେଷ୍ଟ ମ୍ୟାଚ ୨୬ ଡିସେମ୍ବରରେ ଖେଳାଯିବ। ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତି ନାହିଁ। ଏବେ ଟେଷ୍ଟ ମ୍ୟାଚ ପୂର୍ବରୁ ମଧ୍ୟ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବ୍ୟକ୍ତିଗତ କାରଣରୁ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାରତ ଫେରିଥିଲେ। ଏବେ କୋହଲି ଟିମ ଇଣ୍ଡିଆରେ ଯୋଗ ଦେଇଛନ୍ତି ଏବଂ ସେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ଉପଲବ୍ଧ। କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ଅଂଶ ନ ଥିଲେ କାରଣ ସେ ବିଶ୍ରାମ ମାଗିଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଏବଂ ଟି-୨୦ରେ ଭାରତୀୟ ଯୁବ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। କିନ୍ତୁ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ମାଟିରେ ଏପର୍ଯ୍ୟନ୍ତ ଗୋଟିଏ ଟେଷ୍ଟ ସିରିଜ ଜିତି ନାହିଁ। ଭଲ କଥା ହେଉଛି ଏଥର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଟେଷ୍ଟ ସିରିଜରେ ଖେଳୁଛନ୍ତି ଏବଂ ସେମାନେ ଫିଟ ଅଛନ୍ତି।