ଦିଲ୍ଲୀରୁ ଖୁସି ଖବର, ଅଗଷ୍ଟରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ଅପରପକ୍ଷରେ ତୃତୀୟ ଲହରର ଆଶଙ୍କା ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ଆସିଛି। ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌ ଅଗଷ୍ଟରେ ଆସିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ସୂଚନା ଦେଇଛନ୍ତି। ଭାଜପା ସଂସଦୀୟ ଦଳ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଏଭଳି କହିଛନ୍ତି। ସୂଚନାଯୋଗ୍ୟ, ଜାୟଡସ୍‌ କାଡ଼ିଲା ଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ ଶେଷ ହୋଇଥିବାବେଳେ ଜରୁରୀକାଳୀନ ସ୍ଥିତିରେ ଏହାକୁ ବ୍ୟବହାର କରାଯିବା ନିମନ୍ତେ ମଞ୍ଜୁରୀ ଲାଗି ଅପେକ୍ଷା କରାଯାଇଛି। ଅପରପକ୍ଷରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ର କ୍ଲିନିକାଲ୍‌ ଟ୍ରାଏଲ୍‌ ଅଗଷ୍ଟ-ସେପ୍ଟେମ୍ବରରେ ଶେଷ ହେବାର ଆଶା ରହିଛି। ଏହି ସମୟ ମଧ୍ୟରେ ଫାଇଜର ଭାକ୍ସିନ୍‌କୁ ମଧ୍ୟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ବୋଲି ପୂର୍ବରୁ ଏମ୍ସ୍‌ ପକ୍ଷରୁ କୁହାଯାଇଥିଲା।

Share