ଦିଲ୍ଲୀରୁ ଆସିଲା ଖୁସି ଖବର, ମୃତ୍ୟୁ ରୋକିବାରେ ଭାକ୍ସିନ୍‌ର ଦ୍ୱିତୀୟ ଡୋଜ୍‌ ୯୫ ପ୍ରତିଶତ ପ୍ରଭାବଶାଳୀ…

ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ଏବଂ ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇପିଡେମିଓଲୋଜି (ଏନ୍‌ଆଇଇ) ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟ ଖୁସି ଖବର ନେଇ ଆସିଛି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ଭାକ୍ସିନ୍‌ର ପ୍ରଥମ ଡୋଜ୍‌ କରୋନା ସଂକ୍ରମଣ ଜନିତ ମୃତ୍ୟୁ ରୋକିବାରେ ୮୨ ପ୍ରତିଶତ ପ୍ରଭାବଶାଳୀ। ସେହିପରି ଦ୍ୱିତୀୟ ଡୋଜ୍‌ ୯୫ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି। ଭାକ୍ସିନ୍‌ର ପ୍ରଭାବ ସମ୍ପର୍କରେ ଜାଣିବା ଲାଗି ତାମିଲନାଡୁ ପୋଲିସ ବିଭାଗର ଯବାନଙ୍କୁ ଡୋଜ୍‌ ପ୍ରଦାନ କରାଯାଇଥିଲା। ସେମାନଙ୍କଠାରେ ସୃଷ୍ଟି ହୋଇଥିବା ରୋଗପ୍ରତିରୋଧକ ଶକ୍ତିର ଯାଞ୍ଚ୍‌ କରାଯାଇଥିବା ଆଇସିଏମ୍‌ଆର୍‌-ଏନ୍‌ଆଇଇ ନିର୍ଦ୍ଦେଶକ ଡ. ମନୋଜ ମୁର୍ହେକର ସୂଚନା ଦେଇଛନ୍ତି। ଫେବୃୟାରୀ ୧ରୁ ମେ’ ୧୪ ମଧ୍ୟରେ ୩୨ ହଜାର ୭୯୨ ଯବାନଙ୍କୁ ଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଦିଆଯାଇଥିଲା। ସେହିପରି ୬୭ ହଜାର ୬୭୩ ଯବାନଙ୍କୁ ଉଭୟ ଡୋଜନ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ୧୭ ହଜାର ୫୯ ଯବାନଙ୍କୁ କୌଣସି ଡୋଜ୍‌ ଦିଆଯାଇ ନ ଥିଲା। ୧୩ ଏପ୍ରିଲ୍‌ରୁ ମେ’ ୧୪ ମଧ୍ୟରେ ୩୧ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ଭାକ୍ସିନ୍‌ ଡୋଜ୍‌ର ପ୍ରଭାବକୁ ଗଭୀରଭାବେ ଅନୁଧ୍ୟାନ କରାଯାଇଥିଲା।

Share