ଖୁସି ଖବର,ଓମିକ୍ରନ୍‌ ବିପଜ୍ଜନକ ହେବାର କୌଣସି ପ୍ରମାଣ ନାହିଁ କହିଲା ସିଙ୍ଗାପୁର ସ୍ବାସ୍ଥ୍ୟବିଭାଗ…

ସିଙ୍ଗାପୁର,୪।୧୨: କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌କୁ ନେଇ ସଭିଏଁ ଆତଙ୍କିତ ହୋଇପଡ଼ିଥିବାବେଳେ ଖୁସି ଖବର ମିଳିଛି। ଓମିକ୍ରନ୍‌ ବିପଜ୍ଜନକ ହେବାର କୌଣସି ପ୍ରମାଣ ନାହିଁ ବୋଲି ସିଙ୍ଗାପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁୂ ସୂଚନା ଜାରି ହୋଇଛି। କରୋନା ଭାଇରସର ନୂତନ ରୂପ, ଓମିକ୍ରନ, ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଅଧିକ ବିପଜ୍ଜନକ କିମ୍ବା ଏହା ବିରୁଦ୍ଧରେ ବର୍ତ୍ତମାନର ଟିକା ଅବା ଚିକିତ୍ସା ପ୍ରଣାଳୀ ପ୍ରଭାବହୀନ କି ନାହିଁ ତାହାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ଗବେଷକଙ୍କ ମିଳି ନ ଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

‘ଚ୍ୟାନେଲ ନ୍ୟୁଜ ଏସିଆ’ର ଖବର ଅନୁଯାୟୀ ସିଙ୍ଗାପୁର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଓମିକ୍ରନ୍‌ ସଂକ୍ରମିତ ଦୁଇଜଣ ବ୍ୟକ୍ତି ସିଙ୍ଗାପୁରରୁ ମାଲେସିଆ ଏବଂ ଅଷ୍ଟ୍ରେଲିଆ ଯାତ୍ରା କରିଛନ୍ତି। ତେବେ ଓମିକ୍ରନ ଭାରିଆଣ୍ଟ୍‌ ଉପରେ ଅଧିକ ସୂଚନା ଏବଂ ଅଧ୍ୟୟନର ଆବଶ୍ୟକତା ରହିଛି। ଆସନ୍ତା ସପ୍ତାହରେ ବିଶ୍ୱରେ ଅଧିକ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବାର ଆଶଙ୍କା ରହିଛି। ଓମିକ୍ରନ୍‌ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସହିତ ପୂର୍ବଭଳି ମାସ୍କ୍‌ ପିନ୍ଧିବା ଏବଂ ନିୟମିତ ସମୟ ଅନ୍ତରରେ ହାତ ଧୋଇବା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Share