ନୂଆଦିଲ୍ଲୀ,୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଶିଲ୍ଡର ମିଶ୍ରିତ ଡୋଜ୍ କରୋନା ବିରୋଧରେ ବେଶ୍ ପ୍ରଭାବଶାଳୀ। ଏନେଇ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ପକ୍ଷରୁ କୁହାଯାଇଛି ଯେ, କୋଭାକ୍ସିନ ଏବଂ କୋଭିଶିଲ୍ଡର ମିଶ୍ରିତ ଟିକା ପରୀକ୍ଷାରୁ ସୁଫଳ ମିଳିଛି। ଦୁଇଟି ଭିନ୍ନ ଭିନ୍ନ ଟିକାର ଡୋଜ୍ ସୁରକ୍ଷିତ ଏବଂ ଏହାକୁ ନେଲେ ଶରୀରରେ କରୋନା ମହାମାରୀ ଭୂତାଣୁ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ।
ଗବେଷଣାର ଅନ୍ତିମ ରିପୋର୍ଟର ଫଳାଫଳ ଭଲ ମିଳିଲେ, ସରକାର କୋଭାକ୍ସିନ ଏବଂ କୋଭିଶିଲ୍ଡର ମିଶ୍ରିତ ଡୋଜ୍ ପ୍ରଦାନକୁ ମଞ୍ଜୁରୀ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ସେଣ୍ଟ୍ରାଲ ଡ୍ରଗ ଅଥରିଟି ଅଫ ଇଣ୍ଡିଆର ଏକ ବିଶେଷଜ୍ଞ କମିଟି ଭେଲୋରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି) କୁ କୋଭାକ୍ସିନ ଏବଂ କୋଭିଶିଲ୍ଡର ମିଶ୍ରିତ ଟିକାର କ୍ଲିନିକାଲ ପରୀକ୍ଷା କରିବାକୁ ଅନୁମତି ଦେବାକୁ ଏକ ପରାମର୍ଶ ପ୍ରସ୍ତାବ ଜାରି କରିଥିଲେ। ଏହାର ପରୀକ୍ଷା ୩୦୦ ସ୍ବେଚ୍ଛାସେବୀଙ୍କଠାରେ ପ୍ରୟୋଗ କରାଯାଇଥିଲା।