ଖୁସି ଖବର: ଲକ୍‌ଡାଉନ୍‌ ଯୋଗୁ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି ଏପରିସ୍ଥଳେ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଲକ୍‌ଡାଉନ୍‌ ଯୋଗୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡୁଛି। ଦିଲ୍ଲୀରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ପ୍ରତିଶତରୁ କମି ୨୩ ପ୍ରତିଶତରେ ପହଞ୍ଚିଛି। ସେହିପରି ବିହାରରେ ମଧ୍ୟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ସ୍ଥିତିରେ ସୁଧାର ଆସିଛି। ମଧ୍ୟପ୍ରଦେଶରେ ମଧ୍ୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ପୂର୍ବ ତୁଳନାରେ କମିବାରେ ଲାଗିଛି। ଛତିଶଗଡ଼ରେ କରୋନା ସଂକ୍ରମଣର ବେଗ ଧିମା ପଡ଼ିଛି। ମହାରାଷ୍ଟ୍ରରେ ଏକମାସ ପରେ ସ୍ଥିତିରେ କେତେକ ସୁଧାର ମଧ୍ୟ ହୋଇଛି। ଉତ୍ତରପ୍ରଦେଶରେ କରୋନା ମହାମାରୀ ସଂକ୍ରମଣ ସ୍ଥିତି ଧୀରେଧୀରେ କମିବାରେ ଲାଗିଛି। ଇତିମଧ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡରେ କଡ଼ା କଟକଣା ଜାରି କରାଯାଇଛି। ଏହାର ସୁଫଳ ମଧ୍ୟ ମିଳୁଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡୁଛି। ରାଜ୍ୟଗୁଡ଼ିକରେ ଲକ୍‌ ଡାଉନ୍‌ ଜାରି ହେବା ଯୋଗୁ ଦେଶର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ଗତ ୪ ଦିନ ପରେ କମିଛି। ଲଗାତାର ୪ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ରହିବା ପରେ ସୋମବାର ୩ ଲକ୍ଷ ୬୬ ହଜାରରେ ପହଞ୍ଚିଛି। ସେହିପରି ମୃତକଙ୍କକ ସଂଖ୍ୟା ମଧ୍ୟ ୪ ହଜାରରୁ କମି ୩,୭୦୦ରୁ ଅଧିକ ରହିଛି। ଏହା କେବଳ ଲକ୍‌ଡାଉନ୍‌ ଯୋଗୁ ସମ୍ଭବ ହୋଇ ପାରିଥିବା କୁହାଯାଉଛି।

Share