Categories: ବାଣିଜ୍ୟ

‘କାମରେ ଧ୍ୟାନ ଦିଅ’, କର୍ମଚାରୀଙ୍କୁ ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦ା୪: ନିକଟରେ ଗୁଗ୍‌ଲ ଅଫିସ୍ ଭିତରେ କିଛି କର୍ମଚାରୀ ଧାରଣାରେ ବସିଥିଲେ। ସେମାନେ ଗୁଗ୍‌ଲ କ୍ଲାଉଡ୍ ସିଇଓଙ୍କ କାର୍ଯ୍ୟାଳୟକୁ ପ୍ରାୟ ୮ ଘଣ୍ଟା ଧରି ଦଖଲ କରି ନେଇଥିଲେ। ପରେ ପୋଲିସକୁ ଡକାଯାଇ ସମସ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଗୁଗ୍‌ଲର ସିଇଓ ସୁନ୍ଦର ପିଚାଇ ବହୁତ କ୍ଷୁବ୍ଧ ଅଛନ୍ତି। ସେ ଏପରି ଆଚରଣକୁ ଆଦୌ ବରଦାସ୍ତ କରିବେ ନାହିଁ ବୋଲି କର୍ମଚାରୀମାନଙ୍କୁ ଚେତାବନୀ ଦେଇଛନ୍ତି। ସୁନ୍ଦର ପିଚାଇ କହିଛନ୍ତି ଯେ କର୍ମଚାରୀମାନେ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ୍।

ସୁନ୍ଦର ପିଚାଇ ତାଙ୍କ ବ୍ଲଗ୍ ପୋଷ୍ଟରେ ଲେଖିଛନ୍ତି ଯେ ଅଫିସ୍ ଏକ ବ୍ୟକ୍ତିଗତ ପ୍ଲାଟଫର୍ମ ହେବା ଉଚିତ୍ ନୁହେଁ। ଆପଣମାନେ କାର୍ଯ୍ୟ ଉପରେ ଆପଣଙ୍କର ଧ୍ୟାନ ରଖନ୍ତୁ ଏବଂ ପ୍ରଡକ୍ଟ ତିଆରିରେ ଧ୍ୟାନ ଦିଅନ୍ତୁ। ଆମେ ବ୍ୟବସାୟ କରୁ। ଆପଣ ଆପଣଙ୍କର ସହକର୍ମୀଙ୍କୁ ଅସୁରକ୍ଷିତ ମନେ କରିପାରିବେ ନାହିଁ। ଅଫିସରେ ରାଜନୀତି ଉପରେ ଆଲୋଚନା ହେବା ଉଚିତ ନୁହେଁ। ଏକ କମ୍ପାନୀ ଭାବରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଅଛୁ। ବାସ୍ତବରେ ଦେଖିଲେ ଗୁଗ୍‌ଲ ଏହି ସମୟରେ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ କମ୍ପାନୀ ପଛରେ ପଡିଥିବା ଜଣାପଡିଛି।

ଗୁଗୁଲ ଅଫିସରେ ପୂର୍ବରୁ ଏଭଳି ଘଟଣା ଅନେକ ଥର ଘଟିଛି। ଏଭଳି ଘଟଣା ଯୋଗୁଁ ହୋଇଥିବା କୁଖ୍ୟାତିକୁ ନେଇ କମ୍ପାନୀର ଶୀର୍ଷ ପରିଚାଳନା ଅସନ୍ତୋଷ ପ୍ରକାଶ କରିଛି। ଦୀର୍ଘ ଦିନ ଧରି ଗୁଗ୍‌ଲ ଅନେକ ସରକାରଙ୍କ ସହ କାମ କରିଆସୁଛି। ନିକଟରେ ହୋଇଥିବା ପ୍ରଦର୍ଶନରେ କମ୍ପାନୀର କିଛି କର୍ମଚାରୀ ଦାବି କରିଛନ୍ତି ଯେ ଗୁଗୁଲ ଇସ୍ରାଏଲ୍ ସରକାର ଏବଂ ସେନା ସହିତ ଚାଲୁଥିବା କ୍ଲାଉଡ୍ ପ୍ରୋଜେକ୍ଟକୁ ବନ୍ଦ କରିବା ଉଚିତ୍।

ବିରୋଧକୁ ଗୁରୁତର ସହ ନେଇ ଗୁଗ୍‌ଲ ମ୍ୟାନେଜମେଣ୍ଟ ୨୮ ଜଣ କର୍ମଚାରୀଙ୍କୁ ବରଖାସ୍ତ କରିଛି। କମ୍ପାନୀର ୯ ଜଣ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଘଟଣା ପରେ କର୍ମଚାରୀମାନଙ୍କୁ ପଠାଯାଇଥିବା ଏକ ଇମେଲରେ ଗୁଗ୍‌ଲ କହିଛି ଯେ ଏହି ପ୍ରକାର ଆଚରଣ ସହନଶୀଳ ନୁହେଁ। କମ୍ପାନୀ ଏହାକୁ ଗମ୍ଭୀରତାର ସହ ନେଉଛି। ଆମର ଅଧିକାଂଶ କର୍ମଚାରୀ ଭଲ କାମ କରୁଛନ୍ତି। କିନ୍ତୁ, କିଛି ଲୋକଙ୍କ ଆଚରଣ ଚିନ୍ତାଜନକ ଅଟେ। ଯଦି ଆପଣ ମଧ୍ୟ ସେହି ଅଳ୍ପ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି, ଯେଉଁମାନେ ଏହିପରି କିଛି ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ପୁନର୍ବାର ଚିନ୍ତା କରିବାକୁ ପଡିବ।

Share