Categories: ଜାତୀୟ

‘ଧରିତ୍ରୀ ଦିବସ’ରେ ଗୁଗଲ୍‌ର ସ୍ବତନ୍ତ୍ର ଡୁଡଲ୍‌

ନୂଆଦିଲ୍ଲୀ,୨୨।୪: ଗୁଗଲ ପ୍ରତ୍ୟେକ ବିଶେଷ ଉତ୍ସବରେ ଡୁଡଲ ମାଧ୍ୟମରେ ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଇଥାଏ। ଆଜି ‘ବିଶ୍ୱ ଧରିତ୍ରୀ ଦିବସ’ ଅବସରରେ ଗୁଗୁଲ ଏକ ସ୍ବତନ୍ତ୍ର ଡୁଡଲ ତିଆରି କରି ପୃଥିବୀ କିପରି ବଦଳୁଛି ତାହା ବାର୍ତ୍ତା ଦେଇଛି। ଡୁଡଲରେ ଗୁଗଲ କିଛି ଚିତ୍ର ଦେଖାଇଛି। ଏଥିରେ ଜଳବାୟୁ ପରିବର୍ତ୍ତନ ପୃଥିବୀକୁ କିପରି ପ୍ରଭାବିତ କରିଛି ସେଥିରେ କୁହାଯାଇଛି। ଏଥିରେ ବିଭିନ୍ନ ବର୍ଷର ଚାରୋଟି ଚିତ୍ର ଯଥା ତାଞ୍ଜାନିଆର କିଲିମାନଜାରୋ ମାଉଣ୍ଟ, ସେରମୋସୁକ୍‌ ଗ୍ଲାସିୟର୍‌, ଅଷ୍ଟ୍ରେଲିଆର ଗ୍ରେଟ ବ୍ୟାରିୟର୍‌ ରିଫ ଏବଂ ଜର୍ମାନୀର ଆଲେଣ୍ଡର ହର୍ଜ ଫରେଷ୍ଟ ସାମିଲ ଅଛି।
ଆଜିର ଗୁଗୁଲ ଡୁଡଲ ବିଭିନ୍ନ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦର୍ଶାଇବା ପାଇଁ ଗୁଗଲ ଆର୍ଥ ଟାଇମଲେପ୍ସ ଏବଂ ଅନ୍ୟାନ୍ୟ ଉତ୍ସରୁ ପ୍ରକୃତ ସମୟର ଚିତ୍ର ବ୍ୟବହାର କରିଥିଲା। ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବକୁ ଏଡାଇବା ପାଇଁ ଅଧିକ ସ୍ଥାୟୀ ଭାବରେ ବଞ୍ଚିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କମ୍ପାନୀ କହିଛି।
୧୯୭୦ରେ ପ୍ରଥମ ଥର ପାଇଁ ବିଶ୍ୱ ଧରିତ୍ରୀ ଦିବସ ପାଳନ କରାଯାଇଥିଲା।ସେବେଠାରୁ ପ୍ରତିବର୍ଷ ଏହାକୁ ଏପ୍ରିଲ ୨୨ରେ ପାଳନ କରାଯାଏ। ଚଳିତବର୍ଷ ଧରିତ୍ରୀ ଦିବସର ବିଷୟବସ୍ତୁ ହେଉଛି ‘ଆମ ଗ୍ରହରେ ନିବେଶ କରିବା’।

Share