ସାନ୍ ଫ୍ରାନ୍ସିସ୍କୋ, ୨୭।୨: ବିଶ୍ୱର ବହୁ ଆଇଟି କମ୍ପାନୀ କର୍ମଚାରୀ ଛଟେଇ ଅଭିଯାନ ଚଳାଇଛନ୍ତି। ଗୁଗଲ ଏଥିରୁ ବାଦ୍ ପଡିନାହିଁ। ପାଖାପାଖି ୧୨,୦୦୦ କର୍ମଚାରୀଙ୍କୁ ବାହାର କରିବା ପରେ ଗୁଗଲ ଏବେ ୧୦୦ ରୋବୋଙ୍କୁ ଚାକିରିରୁ ବିଦା କରିଛି। ଏହି ରୋବୋ ଗୁଗଲର କାଫେଟେରିଆ ସଫେଇ କାର୍ଯ୍ୟରେ ନିୟୋଜିତ ଥିଲେ। କମ୍ପାନୀର ଏକ୍ସପେରିମେଣ୍ଟାଲ ‘ଏକ୍ସ’ ଲାବରେଟୋରି ବନ୍ଦ ହେବା ପରେ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି।
୧୦୦ ଓ୍ବାନ୍ ଆର୍ମ ଓ୍ବିଲ୍ଡ୍ ରୋବୋଙ୍କୁ କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ଗୁଗଲର କାଫେଟେରିଆରେ ଏହି ରୋବୋଙ୍କୁ ନିୟୋଜିତ କରାଯାଇଥିଲା। ଟେବୁଲ ସଫା କରିବା, ଅଳିଆ ସବୁକୁ ଅଲଗା କରିବା ଏବଂ ଏହାର ପୁନଃଚକ୍ରଣ କରିବା ସହ କୋଭିଡ୍ ସମୟରେ କନ୍ଫରେନ୍ସ ହଲ୍ର ଦେଖାରଖା ରୋବୋଙ୍କ ଦ୍ୱାରା କରାଯାଉଥିଲା।
କିଛିବର୍ଷ ହେବ ପ୍ରଶିକ୍ଷଣ କ୍ଷେତ୍ରରେ ଉନ୍ନତି ଆଣିବା ଲକ୍ଷ୍ୟରେ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ ଇଣ୍ଟିଗ୍ରେଟେଡ୍ ହାର୍ଡଓ୍ବେର ଏବଂ ସଫ୍ଟଓ୍ବେର ସିଷ୍ଟମ ଡେଭଲପ କରିଛି। ରୋବୋଙ୍କୁ ନେଇ ଅନେକ ଦେଶର ବୈଜ୍ଞାନିକଙ୍କ ଅଧ୍ୟୟନ ଓ ଗବେଷଣା ଜାରି ରହିଛି।