ଗୁଗୁଲ ଗର୍ଲ କାଶଭି ତୃତୀୟ ଶ୍ରେଣୀରୁ ଯିବେ ଅଷ୍ଟମକୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପାଲାମପୁର,୨୪।୩ : ଏକ ସ୍ବତନ୍ତ୍ର ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟ ପାଲାମପୁରର ତୃତୀୟ ଶ୍ରେଣୀ ଛାତ୍ରୀ ଗୁଗୁଲ ଗର୍ଲ କାଶଭିଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ଜଷ୍ଟିସ ଜ୍ୟୋତ୍ସ୍ନା ରେୱାଲ ଦୁଆଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ କାଶଭିଙ୍କ ପିତା ସନ୍ତୋଷ କୁମାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି କାଶଭି ଅଷ୍ଟମ ଶ୍ରେଣୀରେ ଅସ୍ଥାୟୀ ଆଡମିଶନ ନିଅନ୍ତି, ତା’ହେଲେ ତାଙ୍କର ସାମଗ୍ରିକ ଅଗ୍ରଗତି ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିୟମିତ ଭାବରେ ଯାଞ୍ଚ୍‌ କରାଯିବ। ପ୍ରତ୍ୟେକ କ୍ଷେତ୍ରରେ କାଶଭିଙ୍କ ଅଗ୍ରଗତି ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୮ରେ ହେବ।

ଆବେଦନରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ କାଶଭି ୧୨ ମାର୍ଚ୍ଚ ୨୦୧୪ରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ପାଲାମପୁରର ଇନ୍ଦ୍ରଧନୁ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁୁଛନ୍ତି । କାଶଭି ଏକ ଅସାଧାରଣ ଏବଂ ବୌଦ୍ଧିକ ଛାତ୍ରୀ ଭାବେ ଗୁଗୁଲ ଗାର୍ଲ ନାମରେ ମଧ୍ୟ ଜଣାଶୁଣା । କାଶଭିଙ୍କ ସାଧାରଣ ଜ୍ଞାନ ଏବଂ ପ୍ରତିଭା ବିଷୟର ବହୁ ଭିଡିଓ ୟୁଟ୍ୟୁବରେ ଉପଲବ୍ଧ।

କାଶଭିଙ୍କ ପିତା ତାଙ୍କ ଆଇକ୍ୱ୍ୟୁ ପରୀକ୍ଷା ୧୬ ଅକ୍ଟୋବର ୨୦୨୧ରେ ଧର୍ମଶାଲାର ଜୋନାଲ ହସ୍ପିଟାଲରେ କରିଥିଲେ। ଏଥିରେ ତାଙ୍କର ଆଇକ୍‌ୟୁ ୧୫୪ ରେ ଆକଳନ କରାଯାଇଥିଲା। ତାଙ୍କୁ ପରୀକ୍ଷା କରିଥିବା ଡାକ୍ତର କହିଛନ୍ତି ଯେ ସେ ଜଣେ ଅସାଧାରଣ, ବୌଦ୍ଧିକ କ୍ଷମତାଯୁକ୍ତ ଶ୍ରେଷ୍ଠ ପ୍ରତିଭାଶାଳୀ ଶିଶୁ। କାଶଭିଙ୍କ ଆଇକ୍ୱ୍ୟୁ ପରୀକ୍ଷା ଫଳାଫଳ ସହିତ ତାଙ୍କ ପିତା ହିମାଚଳ ପ୍ରଦେଶର ରାଜ୍ୟ ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀଙ୍କ ନିକଟକୁ ଚିଠି ପଠାଇ ତାଙ୍କୁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁରୋଧ କରିଥିଲେ। ପିତା ତାଙ୍କୁ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ଦେବାକୁ ଅନୁମତି ଲୋଡିଥିଲେ। ମାତ୍ର ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share