Advertisement

ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ଜିଜ୍ଞାସା

ବ୍ରହ୍ମପୁର ଅଫିସ୍‌,୨୮ା୧୨: ପିଲାଟି ଦିନରୁ ସବୁ ବିଷୟରେ ଜାଣିବାକୁ ଇଚ୍ଛା ରଖିଥିବା ୪ ବର୍ଷର ଝିଅ ଆଜି ବ୍ରହ୍ମପୁରର ଗୁଗୁଲ୍‌ ଗର୍ଲ ଭାବେ ପରିଚୟ ପାଇଛି। ସେ ହେଉଛି ବ୍ରହ୍ମପୁର ଫାଷ୍ଟଗେଟ୍‌ ଅଞ୍ଚଳର ଜିଜ୍ଞାସା ମହାନ୍ତି। ସାଧାରଣ ଜ୍ଞାନ ଦକ୍ଷତାରେ ବେଶ୍‌ ପାରଦର୍ଶିତା ଲାଭ କରିଛି। ଜିଜ୍ଞାସା ନିଜ ଜିଲାର ନାମ, ରାଜ୍ୟର ନାମ, କବି, କ୍ରୀଡ଼ାବିତ୍‌, ରାଜନେତା ଓ ବୈଜ୍ଞାନିକଙ୍କ ନାମ ଅକ୍ଳେଶରେ କହିପାରୁଛି। ଯେଉଁଥିପାଇଁ ସେ ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ଆଖ୍ୟା ହାସଲ କରିଛି। ଜିଜ୍ଞାସା ହେଉଛି କୁକୁଡ଼ାଖଣ୍ଡି ବ୍ଲକ ଲଙ୍ଗଳଦେଇ ଗ୍ରାମର ଜିତେନ୍ଦ୍ର ମହାନ୍ତିଙ୍କ ଝିଅ। ପିଲାଟି ଦିନରୁ ସେ ବ୍ରହ୍ମପୁରରେ ମାଉସୀ ବିଷ୍ଣୁପ୍ରିୟା ଦାଶଙ୍କ ଘରେ ରହି ଆସୁଛି। ପିଲାଟି ଦିନରୁ ସବୁ କ୍ଷେତ୍ରରେ ଜାଣିବା ପାଇଁ ଇଚ୍ଛା ରଖୁଥିବା ଜିଜ୍ଞାସାର ମାଉସୀ ତାକୁ ପ୍ରଥମେ ନିଜ ଗ୍ରାମ, ବ୍ଲକ ଓ ଜିଲା ସମ୍ପର୍କରେ କହିଥିଲେ। ଯାହାକୁ ସେ କମ୍‌ ସମୟ ମଧ୍ୟରେ ମନେ ରଖି ସହଜରେ କହିପାରିଥିଲା। ଏହା ଜଣାପଡ଼ିବା ପରେ ମାଉସୀ ବିଷ୍ଣୁପ୍ରିୟା ସାଧାରଣ ଜ୍ଞାନ ସମ୍ବନ୍ଧରେ ଶିକ୍ଷା ଦେଇଥିଲେ। ସେ ସବୁକୁ ମଧ୍ୟ ମନେରଖି ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର କମ୍‌ ସମୟ ମଧ୍ୟରେ ଦେଇଥିଲା। ଜିଜ୍ଞାସାର ଏଭଳି ପ୍ରତିଭାକୁ ଅଧିକ ଲୋକପ୍ରିୟ କରିବା ପାଇଁ ବିଷ୍ଣୁପ୍ରିୟା ସୋସିଆଲ୍‌ ମିଡିଆର ସହଯୋଗ ଲୋଡ଼ିଥିଲେ। ତାର ପ୍ରତିଭା ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ସାଙ୍ଗକୁ ବ୍ରହ୍ମପୁରର ଗୁଗଲ୍‌ ଗର୍ଲ ପରିଚୟ ପାଇଛି। ଭବିଷ୍ୟତରେ ପୋଲିସ୍‌ ଚାକିରିରେ ନିଯୁକ୍ତି ନେଇ ବିଷ୍ଣୁପ୍ରିୟା ଆଶା ରଖିଛନ୍ତି। ଅନ୍ୟପଟେ ଜିଜ୍ଞାସାକୁ ଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ସହାୟତାର ହାତ ବଢ଼ାଇଛନ୍ତି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଏମ୍‌ପି ଚନ୍ଦ୍ରଶେଖର ସାହୁ ତାକୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ାଇବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହାକୁ ନେଇ ତାଙ୍କ ପରିବାରବର୍ଗ କୃତଜ୍ଞତା ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share