Categories: ଫୁରସତ

ଭୁଲ୍‌ ବାଟ ଦେଖାଇଲା ଗୁଗଲ୍‌ ମ୍ୟାପ୍‌

କାନ୍‌ବେରା: କୌଣସି ଜାଣି ନ ଥିବା ସ୍ଥାନକୁ ଯିବା ପାଇଁ ଆଜିର ଦିନରେ ଅଧିକାଂଶ ଲୋକ ଗୁଗଲ୍‌ ମ୍ୟାପ୍‌ ଆପ୍ଲିକେଶନ୍‌କୁ ବହୁଳ ଭବେ ବ୍ୟବହାର କରୁଛନ୍ତି। ତେବେ ବେଳେବେଳେ ଗୁଗଲ୍‌ ମ୍ୟାପ୍‌ ଭୁଲ ନିର୍ଦ୍ଦେଶ ଦେବା ସହ ମଣିଷକୁ ଦିଗହୀନ କରିଦେଇଥିବାର ମଧ୍ୟ ଅନେକ ନଜିର ରହିଛି। ବିଭିନ୍ନ ଅଷ୍ଟ୍ରେଲୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ୨ ଜଣ ଜର୍ମାନ ପର୍ଯ୍ୟଟକ ଫିଲିପ୍‌ ମାୟର୍‌ ଓ ମାର୍ସେଲ ସୋୟନେ ଗୁଗୁଲ୍‌ ମ୍ୟାପ୍‌ର ନିର୍ଦ୍ଦେଶ ଅନୁସରଣ କରିବା ପରେ ଅଷ୍ଟ୍ରେଲିଆର ଏକ ଜଙ୍ଗଲରେ ହଜିଯାଇ ସପ୍ତାହେ ପର୍ଯ୍ୟନ୍ତ ଫସି ରହିଥିଲେ। ସେମାନେ କେର୍ନସ୍‌ରୁ ବାମାଗା ଅଭିମୁଖେ ଯାଉଥିବା ବେଳେ ଗୁଗଲ୍‌ ମ୍ୟାପ୍‌କୁ ବ୍ୟବହାର କରି ସର୍ବସାଧାରଣଙ୍କ ପାଇଁ ବନ୍ଦ ଥିବା ଏକ ଜାତୀୟ ଉଦ୍ୟାନ ନିକଟରେ ପହଞ୍ଚିଯାଇଥିଲେ। ଉକ୍ତ ର୍ନିଜନ ଜଙ୍ଗଲ ମଧ୍ୟରେ ୩୭ ମାଇଲ୍‌ ଯାତ୍ରା କରିବା ପରେ ଉଭୟଙ୍କ କାର୍‌ ଏକ କାଦୁଅରେ ଫସି ଯାଇଥିଲା। କାର୍‌ ସଜାଡ଼ିବା ପାଇଁ ସେଠାରେ କୌଣସି ବ୍ୟବସ୍ଥା ନ ଥିବାରୁ ଉଭୟ ଜର୍ମାନ ପର୍ଯ୍ୟଟକ ନିଜ ଗାଡି ଛାଡି ଜଙ୍ଗଲ ମଧ୍ୟରେ ଚାଲିବାକୁ ଆରମ୍ଭ କରିଥିଲେ ଏବଂ ପ୍ରାୟ ସପ୍ତାହେରୁ ଅଧିକ ଦିନ ଚାଲିବା ପରେ ସେମାନେ ଜନବସତି ନିକଟରେ ପହଞ୍ଚିଥିଲେ। ଜଙ୍ଗଲ ମଧ୍ୟରେ ଉଭୟ ପର୍ଯ୍ୟଟକ ଏକ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଚେଷ୍ଟା କରିଥିବା ବେଳେ, ସଫଳ ହୋଇ ପାରି ନ ଥିଲେ। ଫଳରେ ସେମାନଙ୍କୁ ବର୍ଷା ମାଡ଼ ଖାଇ ଖୋଲା ଆକାଶ ତଳେ ଶୋଇବାକୁ ପଡ଼ିଥିଲା। ତେବେ ଉଭୟ ପର୍ଯ୍ୟଟକ ସୁରକ୍ଷିତ ଥିବାରୁ ଖୁସି ପ୍ରକାଶ କରିବା ସହ ଏହି ଘଟଣାର ତଦନ୍ତ ଚାଲିଥିବା ଗୁଗଲ୍‌ର ଜଣେ ଅଧିକାରୀ କହିଛନ୍ତି।

Share