Categories: ଜାତୀୟ

ଗୁଗଲ ପ୍ଲେ ଷ୍ଟୋରରୁ ତୁରନ୍ତ ୫୯ ଚାଇନା ଆପ୍‌ ହଟାଇବାକୁ ନିର୍ଦ୍ଦେଶ: ୪୮ଘଣ୍ଟା ମଧ୍ୟରେ ଜବାବ ରଖିବ କମ୍ପାନୀ

ନୂଆଦିଲ୍ଲୀ,୩୦।୬: ଭାରତ ଓ ଚାଇନା ସୀମାରେ ଜାରି ରହିଥିବା ଉତ୍ତେଜନାର ପ୍ରଭାବ ଏବେ ଦୁଇ ଦେଶର ସମ୍ପର୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି। ସୋମବାର ୟୁଜର୍ସଙ୍କ ଗୋପନୀୟତା, ସୁରକ୍ଷା ଓ ତଥ୍ୟ ଚୋରି ହେଉଥିବା ଅଭିଯୋଗରେ କେନ୍ଦ୍ର ସରକାର ଦେଶରେ ୫୯ ଚାଇନା ଆପ୍‌କୁ ବ୍ୟାନ କରିଛନ୍ତି। ଏହାପରେ ଗୁଗଲ ପ୍ଲେ ଷ୍ଟୋରରୁ ଉକ୍ତ ଆପ୍‌ ଗୁଡ଼ିକୁ ତୁରନ୍ତ ହଟାଇବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଉକ୍ତ କମ୍ପାନୀଙ୍କଠାରୁ ଏନେଇ ୪୮ଘଣ୍ଟା ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି। ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ଏକ କମିଟିଙ୍କ ସମ୍ମୁଖରେ ଉକ୍ତ କମ୍ପାନୀ ନିଜର ସ୍ପଷ୍ଟୀକରଣ ରଖିବେ। ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ଏହି କମିଟିରେ ଆଇଟି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ସୂଚନା ମନ୍ତ୍ରଣାଳୟ ଓ ଆଇନ ମନ୍ତ୍ରଣାଳୟର ଅଧିକାରୀମାନେ ସାମିଲ ରହିଛନ୍ତି। ୫୯ଆପ୍‌ର କମ୍ପାନୀମାନଙ୍କୁ ଉକ୍ତ ଅଧିକାରୀମାନେ ଡାଟା ଚୋରି ନେଇ ଜବାବ ତଲବ କରିବେ। ଅପରପକ୍ଷେ ଗୁଗଲ ପ୍ଲେ ଷ୍ଟୋରରୁ ଏହି ଆପ୍‌ ହଟିବା ପରେ ଆଉ ସେଠାରେ ଉପଲବ୍ଧ ହେବ ନାହିଁ । ଏହାଦ୍ୱାରା କୌଣସି ନୂଆ ୟୁଜର୍ସ ମଧ୍ୟ ଏହାକୁ ଡାଉନଲୋଡ କରିପାରିବେ ନାହିଁ। ଉକ୍ତ କମ୍ପାନୀ ବ୍ୟତୀତ ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କୁ ମଧ୍ୟ ଏହି ଆପ୍‌ ବ୍ଲକ୍‌ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share