ମୋଦିଙ୍କ ଡିଜିଟାଲ ଇଣ୍ଡିଆର ପ୍ରଶଂସା କଲେ ସୁନ୍ଦର ପିଚାଇ

ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ରୁ ୨୩ ଜୁନ ମଧ୍ୟରେ ଆମେରିକାକୁ ତିନି ଦିନିଆ ରାଜକୀୟ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ ଏବଂ ଅନ୍ୟାନ୍ୟ ବିଶିଷ୍ଟ ନେତା ତଥା ଅଗ୍ରଣୀ ଆମେରିକୀୟ କମ୍ପାନୀଗୁଡିକର ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ଭେଟିଥିଲେ। ଏଥିରେ ଗୁଗୁଲର ଭାରତୀୟ ବଂଶୋଦ୍ଭବ ସିଇଓ ସୁନ୍ଦର ପିଚାଇ ଅନ୍ତର୍ଭୁକ୍ତ ଥିଲେ। ଏହି ସାକ୍ଷାତକାର ପରେ କମ୍ପାନୀ ପକ୍ଷରୁ ଏକ ବଡ଼ ଘୋଷଣା କରିଛନ୍ତି ପିଚାଇ।
ଗୁଗୁଲ ସିଇଓ କହିଛନ୍ତି ଯେ ଗୁଜୁରାଟରେ କମ୍ପାନୀ ଏହାର ଗ୍ଲୋବାଲ ଫିଣ୍ଟେକ (ଫାଇନାନ୍ସିଆଲ ଟେକ୍ନୋଲୋଜି) ଅପରେଶନ ସେଣ୍ଟର ଖୋଲିବ। ଏହା ସହିତ ସେ ମୋଦିଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଥିଲେ।

ନ୍ୟୁଜ ଏଜେନ୍ସି ANI ସହ କଥାବାର୍ତ୍ତା କରି ପିଚାଇ କହିଛନ୍ତି ଯେ ଆମେରିକାର ଐତିହାସିକ ଗସ୍ତ ସମୟରେ ମୋଦିଙ୍କୁ ଭେଟିବା ଏକ ଗୌରବର ବିଷୟ। ଆମେ ପ୍ରଧାନମନ୍ତ୍ରୀଙ୍କୁ କହିଛୁ ଯେ ଗୁଗୁଲ ଭାରତର ଡିଜିଟାଲାଇଜେସନ ପାଣ୍ଠିରେ ୧୦ ବିଲିୟନ ଡଲାର ବିନିଯୋଗ କରୁଛି। ଗୁଜରାଟର ଆନ୍ତର୍ଜାତୀୟ ଫିନ-ଟେକ (GIFT) ସିଟିରେ ଆମର ଗ୍ଲୋବାଲ ଫିଣ୍ଟେକ ଅପରେସନ ସେଣ୍ଟର ଖୋଲିବାକୁ ଆମେ ଘୋଷଣା କରୁଛୁ।
ଡିଜିଟାଲ ଇଣ୍ଡିଆର ପ୍ରଶଂସା କରି ପିଚାଇ କହିଛନ୍ତି, ଡିଜିଟାଲ ଇଣ୍ଡିଆ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ତାଙ୍କ ସମୟଠାରୁ ଆଗରେ ଥିଲା ଏବଂ ମୁଁ ବର୍ତ୍ତମାନ ଏହାକୁ ଏକ ବ୍ଲୁ ପ୍ରିଣ୍ଟ ଭାବରେ ଦେଖୁଛି ଯାହା ଅନ୍ୟ ଦେଶମାନେ ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି।

Share