ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆଶଙ୍କା…

ଓ୍ବାଶିଂଟନ,୨୨।୧୧ : ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ମେଟା, ଆମାଜନ, ଟୁଇଟର ଏବଂ ସେଲ୍ସଫୋର୍ସ ପରେ, ଆଲ୍ଫାବେଟ ଏବେ ଏଭଳି କରିବାକୁ ଯୋଜନା କରିଛି। କମ୍ପାନୀ ଏହାର ମୋଟ କର୍ମଚାରୀ ସଂଖ୍ୟାର ୬ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲ ନୂତନ ର଼୍ୟାଙ୍କିଙ୍ଗ ଏବଂ କାର୍ଯ୍ୟଦକ୍ଷତା ଉନ୍ନତି ଯୋଜନା ଅନ୍ତର୍ଗତ ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଛଟେଇ କରିବ। ନୂତନ କାର୍ଯ୍ୟଦକ୍ଷତା ପରିଚାଳନା ବ୍ୟବସ୍ଥା ମାଧ୍ୟମରେ, ଆସନ୍ତା ବର୍ଷ ଆରମ୍ଭରେ, କାର୍ଯ୍ୟଦକ୍ଷତା ଭଲ ନଥିବା ହଜାର ହଜାର କର୍ମଚାରୀଙ୍କୁ ବାହାର କରାଯିବ। ପରିଚାଳକମାନେ ଏହି କର୍ମଚାରୀଙ୍କ ପାଇଁ ମୂଲ୍ୟାୟନ ବ୍ୟବହାର କରିବେ ଯାହା ଦ୍ୱାରା ସେମାନଙ୍କୁ ବୋନସ ଏବଂ ଷ୍ଟକ ଅନୁଦାନ ଦେବାକୁ ପଡିବ ନାହିଁ।

ପ୍ରାୟ ୧,୮୭,୦୦୦ କର୍ମଚାରୀ ଆଲ୍ଫାବେଟରେ କାମ କରନ୍ତି। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଅନୁଯାୟୀ, ଆଲ୍ଫାବେଟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ହାରାହାରି ଦରମା ୨,୯୫,୮୮୪ ଡଲାର। ୨୦୨୨ ର ତୃତୀୟ ତ୍ରୟମାସିକରେ, ଆମେରିକାର ଅର୍ଥନୀତିରେ ସଙ୍କଟ ଏବଂ ଅବନତି ଯୋଗୁ ଆଲ୍ଫାବେଟର ଲାଭ ୨୭ ପ୍ରତିଶତ ହ୍ରାସ ହୋଇ ୧୩.୯ ବିଲିୟନ ଡ଼ଲାରରେ ପହଞ୍ଚିଛି। ରାଜସ୍ବ ୬ ପ୍ରତିଶତ ବୃଦ୍ଧି ହୋଇ ୬୯.୧ ବିଲିୟନ ଡ଼ଲାରରେ ପହଞ୍ଚିଛି।

ନିକଟରେ ଆଲ୍ଫାବେଟ ସିଇଓ ସୁନ୍ଦର ପିଚାଇ କହିଥିଲେ ଯେ ସେ ଆଲ୍ଫାବେଟକୁ ୨୦ ପ୍ରତିଶତ ଅଧିକ କାର୍ଯ୍ୟକ୍ଷମ କରିବେ। ଏହି ବିବୃତ୍ତି ମାଧ୍ୟମରେ ସେ ପୁନଃନିର୍ମାଣର ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ବରଖାସ୍ତ ହୋଇଥିବା କିଛି ଲୋକଙ୍କୁ କମ୍ପାନୀରେ ନୂତନ ଭୂମିକା ଗ୍ରହଣ କରିବାକୁ ଆଲ୍ଫାବେଟ ୬୦ ଦିନ ସମୟ ଦେଇଛି। ଗୁଗୁଲ ମଧ୍ୟ ନୂତନ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇଛି।

Share