ପୋଲିସ ଠିକା କମ୍ପାନୀର ଗୁଣ୍ଡା ସାଜିଛି: ମାଓବାଦୀ ସଂଗଠନ

ରାୟଗଡ଼ା,୧୬।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ଓ ଘରୋଇ କମ୍ପାନୀ ବିରୋଧରେ ବାଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନାଲ ମାଓବାଦୀ କମିଟି ପ୍ରେସ୍‌ ରିଲିଜ ଜାରି କରିଛି। ଏସ୍‌ପି ଶର୍ମାଙ୍କ ନେତୃତ୍ୱରେ ଜିଲା ପୋଲିସ ଠିକା କମ୍ପାନୀର ଗୁଣ୍ଡା ସାଜିଛି। ପୋଲିସ ନିରୀହ ଆଦିବାସୀ, ଦଳିତ ଓ ଚାଷୀ ସମାଜର ଲୋକଙ୍କୁ ଉଠାଇ ନେଇ ନିର୍ଯାତନା ଦେଉଛି । ବେଦାନ୍ତ, ଆଦାନୀ, ବିର୍ଲା ଭଳି ଖଣି ଲୁଟେରାଙ୍କୁ ସୁହାଇଲା ଭଳି ରାଜ୍ୟ ସରକାର ଓ ପୋଲିସ କାମ କରୁଥିବା ଉକ୍ତ ପ୍ରେସ୍‌ ରିଲିଜରେ ଉଲ୍ଲେଖ କରାଯାଇଛି । ହେଲେ ଏହି ଦମନଲୀଳାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ମାଓବାଦୀ ସଂଗଠନ ପକ୍ଷରୁ କୁହାଯାଇଛି।
ରାୟଗଡ଼ା ଓ କଳାହାଣ୍ଡି ଜିଲାରେ ରହିଥିବା ସିଜିମାଳି ଓ କୁଟ୍ରୁମାଳି ପାହାଡ଼ ବେଦାନ୍ତ ଏବଂ ଆଦାନୀ କମ୍ପାନୀକୁ ଲିଜ୍‌ରେ ମିଳିଛି । ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ଉକ୍ତ କମ୍ପାନୀର ଠିକା ଗୁଣ୍ଡା ଭଳି କାମ କରୁଛନ୍ତି। ଜୁଲାଇରୁ ଅଦ୍ୟାବଧି ଜିଲାର ୨୭ଜଣ ନିରୀହ ଆଦିବାସୀଙ୍କୁ ରାତିଅଧିଆ ଉଠାଇ ନେଇ ମାଡ଼ ମାରି ନିର୍ଯାତନା ଦେଉଛନ୍ତି ଏବଂ ପରବର୍ତ୍ତୀ ସମୟରେ ଦେଶଦ୍ରୋହୀ ଭଳି ୟୁଏପିଏ ମାମଲାରେ ଛନ୍ଦି ଜେଲ ପଠାଉଛନ୍ତି। ସେହିଭଳି ଜିଲାରେ ରହୁଥିବା ବିଭିନ୍ନ ଦଳର ରାଜନେତା, କୁଜିନେତାମାନେ କମ୍ପାନୀର ଦଲାଲ ସାଜି ପଇସା ଖାଇ କମ୍ପାନୀ ସପକ୍ଷରେ ଖୋଲାଖୋଲି ଖବରଦାତା ସମ୍ମିଳନୀ କରୁଛନ୍ତି । ଏହା କ’ଣ ତାଙ୍କ ଦଳ ହାଇକମାଣ୍ଡଙ୍କ ନିଷ୍ପତ୍ତି ନା ଏହି ନେତାମାନେ ନିଜ ସ୍ବାର୍ଥ ପାଇଁ ଏଭଳି କରୁଛନ୍ତି ବୋଲି ମାଓବାଦୀ ପ୍ରଶ୍ନ କରିଛନ୍ତି । ଖଣି ଅଞ୍ଚଳବାସୀ ଯଦି କମ୍ପାନୀ ଓ ପୋଲିସର ଏହି ଜୁଲମକୁ ବିରୋଧ କରିବା ପାଇଁ କୌଣସି ସହାୟତା ଚାହୁଁଛନ୍ତି, ତେବେ ବାଘୁନା କମିଟି ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ଏହି ପ୍ରେସ୍‌ ବିବୃତିରେ ଉଲ୍ଲେଖ ରହିଛି। ପ୍ରେସ ବିବୃତି ବାଘୁନା ଡିଭିଜନାଲ କମିଟି ସମ୍ପାଦିକା ରୀତାଙ୍କ ପକ୍ଷରୁ ଜାରି ହୋଇଥିବା ଉଲ୍ଲେଖ ରହିଛି। ଏ ନେଇ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମାଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।