ଆକାଶବାଣୀର ପୂର୍ବତନ ଉପସ୍ଥାପିକାଙ୍କ ପରଲୋକ

କଟକ ଅଫିସ, ୨୫ା୧୨: ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ଉପସ୍ଥାପିକା ତଥା ‘ନାରୀମହଲ’ କାର୍ଯ୍ୟକ୍ରମର ସଞ୍ଚାଳିକା ଗୋପା ଦାସ(୭୩)ଙ୍କର ଗତ ୨୨ ତାରିଖରେ କଟକ ତୁଳସୀପୁର ମଧୁସୂଦନ ନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ ପୁଅ ରାହୁଲ ମୁଖାଗ୍ନି ଦେଇଥିଲେ।
ସୂଚନାଯୋଗ୍ୟ, ୧୯୪୮ ମସିହାରେ ଜଗତ୍‌ସିଂହପୁର ଜିଲାର ବାଘସାହିରେ ଦାସ ଜନ୍ମଗ୍ରହଣ କରିଥିଲେ। ସେ ରେଭେନ୍‌ଶା ମହାବିଦ୍ୟାଳୟରୁ ଶିକ୍ଷାରେ ସମ୍ମାନ ସହ ସ୍ନାତକ ଶିକ୍ଷା ଶେଷ କରିବା ପରେ ୧୯୭୦ ଫେବୃୟାରୀରେ ଆକାଶବାଣୀ କଟକ କେନ୍ଦ୍ରରେ ଉପସ୍ଥାପିକା ଭାବେ ଯୋଗଦେଇଥିଲେ। ‘ନାରୀମହଲ’ କାର୍ଯ୍ୟକ୍ରମ ଉପସ୍ଥାପନା କରି ସେ ଏହାକୁ ଶ୍ରୋତାଦ୍ରୁତ କରାଇପାରିଥିଲେ। ଆକାଶବାଣୀ କଟକ କେନ୍ଦ୍ରର ବିଭିନ୍ନ ନାଟକ, ରୂପକ ଏବଂ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବରଦାନ କରି ଜଣେ ସଫଳ ଉପସ୍ଥାପିକାର ଶ୍ରେୟ ସାଉଁଟିଥିଲେ। ୨୦୦୯ ଜୁନ୍‌ରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ଲିଖିତ ପୁସ୍ତକ ମଧ୍ୟରେ ‘ଉପସ୍ଥାପିକାର ଉପକଥା’ ଅନ୍ୟତମ।
Share