Categories: ଜାତୀୟ

ହାର୍ଦ୍ଦିକଙ୍କୁ ଖୋଲା ନିମନ୍ତ୍ରଣ: ସମୟ ନଷ୍ଟ ନ କରି ‘ଆପ୍‌’ରେ ଯୋଗ ଦିଅନ୍ତୁ

ଗାନ୍ଧିନଗର,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ମିଶନ୍‌ ପଞ୍ଜାବ ପରେ ଏବେ ଏହି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସଂକ୍ରିୟ ଅଂଶଗ୍ରହଣ କରିବାକୁ ଯାଉଛି। ତେଣୁ ଆପ୍‌ ଲାଗି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଅପରପକ୍ଷେ ରାଜ୍ୟରେ ଆପ୍‌ର ଉତ୍ଥାନ କଂଗ୍ରେସକୁ କ୍ଷତି ପହଞ୍ଚାଇବ ବୋଲି ଏବେଠୁ ଆଶଙ୍କା ସୃଷ୍ଟି ହୋଇଛି।

ନିକଟରେ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ଦଳ ଉପରେ ଖପ୍ପା ଥିବା ଖବର ପ୍ରକାଶ ପାଇଥିଲା। ଏପରିକି ସେ ଦଳ ଛାଡ଼ିବେ ବୋଲି କୁହାଯାଉଥିଲା। ହେଲେ ଏହାକୁ ଗୁଜବ ବୋଲି ହାର୍ଦ୍ଦିକ ପରେ କହିଥିଲେ। ଏହାର ଗୋଟିଏ ଦିନ ପରେ ଶୁକ୍ରବାର ଆପ୍‌ର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆ ହାର୍ଦ୍ଦିକଙ୍କୁ ସମୟ ବରବାଦ ନ କରି ତାଙ୍କ ଦଳରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି।

ଗୋପାଳ ଖୋଲା ନିମନ୍ତ୍ରଣ ଦେଇ କହିଛନ୍ତି, ଯଦି ହାର୍ଦ୍ଦିକଙ୍କୁ କଂଗ୍ରେସରେ ପସନ୍ଦ କରାଯାଉନାହିଁ ତେବେ ସେ ସମାନ ବିଚାରଧାରା ଥିବା ଦଳରେ ଯୋଗ ଦେବା ଉଚିତ। ଅଭିଯୋଗ କରିବା କିମ୍ବା ସମୟ ନଷ୍ଟ କରିବା ପରିବର୍ତ୍ତେ ସେ ଆପ୍‌ରେ ଯୋଗ ଦିଅନ୍ତୁ। କଂଗ୍ରେସ ଭଳି ଦଳ ତାଙ୍କ ପାଇଁ ନୁହେଁ। ଉତ୍ସର୍ଗୀକୃତ ଲୋକଙ୍କ ପାଇଁ କଂଗ୍ରେସରେ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି।

Share