ଗୋପାଳଙ୍କୁ କେନ୍ଦ୍ରୀୟ ସୁରକ୍ଷା ଲୋଡ଼ା: ଜୟନାରାୟଣ

ସମ୍ବଲପୁର, ୩ା୨(ବ୍ୟୁରୋ):ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗିରଫ ହୋଇଥିବାବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଗୁରୁବାର ସେ କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରେ ହତ୍ୟା କରାଗଲା। ପରେ ଆତ୍ମହତ୍ୟା ରୂପ ଦେଇ ମାମଲାକୁ ଚାପି ଦିଆଗଲା। କାରଣ ଗୋବିନ୍ଦ କୋର୍ଟରେ ବୟାନ ଦେଇଥିଲେ ବହୁ ମନ୍ତ୍ରୀ, ଅଫିସରଙ୍କ ମୁଖା ଖୋଲିଯାଇଥାନ୍ତା। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡରେ ରାଜ୍ୟ ସରକାରଙ୍କ ବଡ଼ ଅଫିସର, ନେତାଙ୍କ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି। ମାମଲାକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି। ପୋଲିସ ଘଟଣାକୁ ବିଭ୍ରାନ୍ତ କରୁଛି। ନବଙ୍କ ପରିବାର ମୁହଁ ଖୋଲୁ ନାହାନ୍ତି। ଅଭିଯୁକ୍ତ ଗୋପାଳଙ୍କୁ ମଧ୍ୟ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ମାମଲାକୁ ଚପାଇ ଦିଆଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ତେଣୁ ତାଙ୍କୁ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଜୟନାରାୟଣ ଦାବି କରିଛନ୍ତି। ଏଥିସହ ହତ୍ୟା ଅଭିଯୁକ୍ତ ପୋଲିସ କର୍ମଚାରୀ ହୋଇଥିବାବେଳେ ଏହାର ତଦନ୍ତ ମଧ୍ୟ ପୋଲିସ କରୁଛି। ତେଣୁ ନବଙ୍କ ପରିବାରକୁ ନ୍ୟାୟ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି ଜୟନାରାୟଣ କହିଛନ୍ତି।

Share