ଖୋର୍ଦ୍ଧା, ୯ା୧୧(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଶ୍ରୀରାମନଗର ହାଉସିଂବୋର୍ଡ କଲୋନିର ଗୋପାଳକୃଷ୍ଣ ଦାସ ଜଣେ ପକ୍ଷୀପ୍ରେମୀ ଓ ପରିବେଶ ସୁରକ୍ଷା ପ୍ରତି ସମର୍ପିତ ବ୍ୟକ୍ତିତ୍ୱ। ସେ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ସହ ପକ୍ଷୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଘର ଛାତ ଉପରେ ପକ୍ଷୀଙ୍କ ପାଇଁ ତିଆରି କରିଛନ୍ତି ଘର। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଏଠାରେ ଦେଖିବାକୁ ମିଳେ। ପକ୍ଷୀଙ୍କ କଳରବରେ ପରିବେଶ କମ୍ପୁଥାଏ। ସେହିପରି ସେ ଘର ଛାତରେ ପନିପରିବା ଫଳାଉଛନ୍ତି। ତାଙ୍କ ଘର ଏକପ୍ରକାର ମନ୍ଦିର। ଶ୍ରୀଚୈତନ୍ୟ, ରାଧା ବିନୋଦଙ୍କ ପ୍ରତିମା ପୂଜା ପାଉଥିବାବେଳେ ସକାଳଠାରୁ ରାତି ପର୍ଯ୍ୟନ୍ତ ମନ୍ତ୍ରଧ୍ୱନି, ଶଙ୍ଖନାଦ, ନାମ ସଂକୀର୍ତ୍ତନ, ପୂଜାପାଠ ଚାଲିଥାଏ। ଘରେ ଆଧ୍ୟାତ୍ମିକ ବାତାବରଣ। ଗୋପାଳଙ୍କ ସ୍ତ୍ରୀ ମଧୁସ୍ମିତା, ପୁଅ ପାର୍ଥ, ଝିଅ ପାଏଲ ପକ୍ଷୀ ଏବଂ ଗଛଲତାଙ୍କ ଯତ୍ନ ନିଅନ୍ତି। ପୁରା ପରିବାର ଏସବୁ କାମରେ ଦିନରାତି ମଜ୍ଜି ରହିଥାନ୍ତି। ଗୋପାଳ କୁହନ୍ତି, ଯୁବାବସ୍ଥାରୁ ଚାରା ଲଗାଇବା ଓ ଜୀବଜନ୍ତୁଙ୍କ ଯତ୍ନ ନେବାକୁ ତାଙ୍କୁ ଭଲ ଲାଗେ। ବୟସ ବଢିବା ସହିତ ଏହା ତାଙ୍କର ଏକ ନିଶାରେ ପରିଣତ ହୋଇଛି। ଏକାଧିକ ଫୁଲଚାରା ଲାଗିଥିବା ବେଳେ ସିମେଣ୍ଟ ଟ୍ୟାଙ୍କ, ସିମେଣ୍ଟ ପାତ୍ରରେ ପନିପରିବା ଚାଷ କରିଛନ୍ତି। ଘର ପାର୍ଶ୍ୱ ବଗିଚାରେ ବିଭିନ୍ନ ପ୍ରକାର ଶାଗ ଚାରା ଲଗାଇଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିବେଶ ଓ ଜୀବଜଗତ ଉପରେ ପଡୁଛି। ଏଥିଲାଗି ସଚେତନତା ଉଦ୍ଦେଶ୍ୟରେ ତାଙ୍କର ପ୍ରୟାସ ଜାରି ରହିଛି। ଗତ ୧୦ ବର୍ଷ ହେବ ସେ ଏହି ଅଭିଯାନରେ ଲାଗିଛନ୍ତି। ଏହା ତାଙ୍କୁ ଖୁସି ଦିଏ। ଏହି କାର୍ଯ୍ୟରେ ତାଙ୍କ ପରିବାରର ସଦସ୍ୟମାନେ ସହଯୋଗ କରୁଛନ୍ତି। ସାମାଜିକ କର୍ମୀ ତପନ ସାମନ୍ତରାୟ କୁହନ୍ତି, ଗୋପାଳ ଜଣେ ନିଆରା ମଣିଷ। ତାଙ୍କର ଗଛ ଲଗାଇବା ପ୍ରତି ବିଶେଷ ଆଗ୍ରହ ରହିଛି। ପକ୍ଷୀଙ୍କ ପାଇଁ ଏକ ଛୋଟ ଘରଟିଏ ମଧ୍ୟ ନିର୍ମାଣ କରିଛନ୍ତି। ଏହା ଦେଖିଲେ ଅତ୍ୟନ୍ତ ଖୁସି ଲାଗୁଛି।