ଗୋପାଳପୁରରେ ହେବ ବୃହତ୍‌ ଔଷଧୀୟ ପାର୍କ

ଭୁବନେଶ୍ୱର,୫।୯(ବ୍ୟୁରୋ): ଗୋପାଳପୁର ସ୍ଥିତ ଟାଟା ସ୍ବତନ୍ତ୍ର ଅର୍ଥନୈତି ଜୋନ(ଏସଇଜେଡ୍‌)ରେ ବୃହତ ଔଷଧୀୟ ପାର୍କ ପ୍ରତିଷ୍ଠା ହେବ। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପାର୍କରେ ଭିତ୍ତିଭୁମି ବିକାଶ ପାଇଁ ପ୍ରାୟ ୧୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିନିମେନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସହଯୋଗ ଯୋଗାଇ ଦେବେ।
ଏହି ପାର୍କର ବିକାଶ ପାଇଁ ଇଡ୍‌କୋ ଏବଂ ଟାଟା ମଧ୍ୟମରେ ଏକ ଏସପିଭି (ସ୍ବେଶାଲ ପର୍ପସ ଭେହିକିଲ) ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଇଡ୍‌କୋ ପ୍ରମୁଖ ଅଂଶିଦାର ରହିବ। ଏହି ପାର୍କରେ ପ୍ରାୟ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକଳ୍ପର ରିପୋର୍ଟ ପ୍ରସ୍ତୁତ କରି ଆସନ୍ତା ୨୫ ତାରିଖରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇବାକୁ ମୁଖ୍ୟ ଶାସନ ସଚିବ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ପାର୍କ ପାଇଁ ଗୋପାଳପୁର ଟାଟା ଏସ୍‌ଇଜେଡ୍‌ରେ ୧ ହଜାର ଏକର ଜମି ରହିଛି। ଏହି ସ୍ଥାନକୁ ବନ୍ଦର, ରେଳ ଏବଂ ଜାତୀୟ ରାଜପଥ ସଂଯୁକ୍ତ ରହିଛି। ଗୋପାଳପୁରରେ ମଧ୍ୟ ଏକ ଏୟାର ଷ୍ଟ୍ରିପ ରହିଛି। ଭୁବନେଶ୍ୱର ବିମାନ ବନ୍ଦରରୁ ମାତ୍ର ଦୁଇ ଘଣ୍ଟାରୁ କମ ସମୟରେ ଗୋପାଳପୁରରେ ପହଞ୍ଚି ହେବ। ଏସବୁ ଦୃଷ୍ଟିରେ ରଖି ସେଠାରେ ଔଷଧୀୟ ପାର୍କ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏଠାରେ ସାଧାରଣ ବର୍ଜ୍ୟବସ୍ତୁ ପରିଳାଚନା ପ୍ଲାଣ୍ଟ, କଠିନ ବଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ମାଲଗୋଦାମ, ସ୍ବତନ୍ତ୍ର ବିଦ୍ୟୁତ ବିତରଣର ବ୍ୟବସ୍ଥା, ସାଧାରଣ ବାଷ୍ପ ସୃଷ୍ଟି ଓ ବଣ୍ଟନ ପ୍ଲାଣ୍ଟ, ଆଧୁନିକ ପରୀକ୍ଷାଗାର, ବୈଷୟିକ ଇନକ୍ୟୁବେଟର, ବୌଦ୍ଧିକ ସମ୍ପତ୍ତି ସମ୍ବନ୍ଧିତ ସେବା ଆଦି ଏହି ସାଧାରଣ ଭିତ୍ତିଭୁମିର ମୁଖ୍ୟ ଅଂଶ ହେବ। ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ସଚିବ ଅଶୋକ ମୀନା, ରାଜସ୍ବ ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲର ପରିଚାଳନା ନିର୍ଦ୍ଦେଶକ ନୀତୀନ ଭାନୁଦାସ ଜଓ୍ବାଲେ ପ୍ରମୁଖ ଯୋଗ ଦେଇଥିଲେ।

 

 

Share