ସାକ୍ଷୀଗୋପାଳ,୬ା୩(ସ୍ବ.ପ୍ର./ଡି.ଏନ୍.ଏ.): ସୁଆଣ୍ଡୋରେ ଗତ ୨୩ରେ ଉତ୍କଳମଣି ଗୋପବନ୍ଧୁଙ୍କ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ତାଙ୍କ ନାତୁଣୀବୋହୂ ଲୀଳାବତୀ ମିଶ୍ରଙ୍କୁ ଅସମ୍ମାନ କରାଯାଇଥିବା ନେଇ ରବିବାର ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି। ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟ ସରକାର ଗୋପବନ୍ଧୁଙ୍କ ପରିବାରର ସଦସ୍ୟଙ୍କୁ ମଞ୍ଚରେ ସମ୍ମାନିତ କରିବାକୁ ଏକ ତାଲିକା ପ୍ରସ୍ତୁତ କରିଥିଲେ। କିନ୍ତୁ ତାଙ୍କର ନାତୁଣୀବୋହୂ ଦାବି କରୁଥିବା ଲୀଳାବତୀ ମିଶ୍ର ସେଠାକୁ ଆସିଥିବାବେଳେ ତାଲିକାରେ ତାଙ୍କ ନାମ ନ ଥିବାରୁ ତାଙ୍କୁ ମଞ୍ଚ ପାଖକୁ ଯିବାକୁ ବାରଣ କରାଯାଇଥିଲା। ସେ ମନ ଦୁଃଖରେ ଫେରି ଆସିଥିଲେ। ଗୋପବନ୍ଧୁଙ୍କ ଅଣନାତି ବୋଲି ଦାବି କରୁଥିବା କାଳୀପ୍ରସନ୍ନ ମିଶ୍ର ଓ ପଣନାତି ଆଦ୍ୟସିଦ୍ଧି ମିଶ୍ର ଏହି ଘଟଣା ନେଇ ଧୀରେନ୍ଦ୍ର ନାଥ ଦାସଙ୍କ ବିରୋଧରେ ରବିବାର ଏତଲା ଦେବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।