ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଲା ଗୋରଖପୁର ହାଟିଆ ମୌର୍ଯ୍ୟ ଏକ୍ସପ୍ରେସ୍‌

ଭୁବନେଶ୍ୱର, ୩୧।୧(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ରେଳ ମନ୍ତ୍ରଣାଳୟ ‘ଗୋରଖପୁର ହଟିଆ -ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ’ ଚଳାଚଳକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି। ଏହି ପଦକ୍ଷେପ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଆଖପାଖ ଜିଲାର ଯାତ୍ରୀ ସୁବିଧାକୁ ସୁଗମ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଧର୍ମେନ୍ଦ୍ର ଏହି ଅଞ୍ଚଳର ଜନସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୯, ୨୦୨୨ ଓ ଚଳିତ ଜାନୁଆରୀ ୦୩, ୨୦୨୪ରେ ଚିଠି ଲେଖି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ରେନର ଚଳାଚଳକୁ ସମ୍ବଲପୁର ସମ୍ପ୍ରସାରଣ ନେଇ ଅନୁରୋଧ କରିଥିଲେ। ୨ଟି ଚିଠିରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବିହାର ଏବଂ ପୂର୍ବ ଉତ୍ତରପ୍ରଦେଶର ପ୍ରାୟ ୪ ଲକ୍ଷ ଲୋକ ପଶ୍ଚିମ ଓଡ଼ିଶାରେ ବସବାସ କରନ୍ତି। ସମ୍ବଲପୁର ଜିଲାରେ ପ୍ରାୟ ୧.୫ ଲକ୍ଷ ଲୋକ ରହୁଛନ୍ତି। ନିଜ ବାସସ୍ଥାନକୁ ଯିବା ପାଇଁ ସିଧାସଳଖ ଟ୍ରେନ ନ ଥିବା ଯୋଗୁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଚିଠିର ଉତ୍ତରରେ ଦକ୍ଷିଣ ପୂର୍ବ ରେଳବାଇ ବିଭାଗ ଏକ ବିଜ୍ଞପ୍ତି ଜାରି କରି ଧର୍ମେନ୍ଦ୍ରଙ୍କ ପ୍ରସ୍ତାବକ୍ରମେ ଗୋରଖପୁର ହାଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବା ଦର୍ଶାଇଛି। ଏହି ଟ୍ରେନ ହାଟିଆରୁ ବାହାରି ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ଷ୍ଟେସନରେ ରହଣି ନେଇ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ଦାବିକୁ ପୂରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

Share