ଭୋପାଳ,୧।୨ : ଭାଜପାର ବରିଷ୍ଠ ନେତ୍ରୀ ଉମା ଭାରତୀ ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବୃଦ୍ଧି ହେବାର ଅନ୍ୟତମ କାରଣ ମଦ୍ୟପାନ ବୋଲି କହିଛନ୍ତି। ଭୋପାଳର ଏକ ମନ୍ଦିରରେ ତାଙ୍କର ଚାରି ଦିନର ରହଣି ଶେଷ କରିବା ପୂର୍ବରୁ ଉମା ଭାରତୀ ଘୋଷଣା କରିଛନ୍ତି ଯେ ସେ ରାଜ୍ୟରେ ନିୟନ୍ତ୍ରିତ ମଦ ବିତରଣ ବ୍ୟବସ୍ଥା ବନ୍ଦ କରିବା ଲାଗି ମଧୁଶାଳାକୁ ଗୋଶାଳାରେ ପରିଣତ କରିବା ଅଭିଯାନ ଆରମ୍ଭ କରିବେ। ମନ୍ଦିର ଏବଂ ବିଦ୍ୟାଳୟଗୁଡିକର ଆଖପାଖରେ ଥିବା ବାରଗୁଡିକୁ ଗୋଶାଳାରେ ପରିଣତ କରାଯିବ।
ସମ୍ପୂର୍ଣ୍ଣ ମଦ ନିଷେଧାଦେଶକୁ ସମର୍ଥନ କରୁଥିବା ଭାରତୀ ଦୀର୍ଘ ଦିନ ଧରି ମଧ୍ୟପ୍ରଦେଶର ମଦ ନୀତି ବଦଳାଇ ନିଶା ନିବାରଣ ପାଇଁ ଏକ ନିୟନ୍ତ୍ରିତ ମଦ ବଣ୍ଟନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଆସୁଛନ୍ତି। ସେ ଲୋକମାନଙ୍କୁ ୧୧ ଟି ଗୋଶାଳା ନିର୍ମାଣ ପାଇଁ କହିଛନ୍ତି।
ସେ କହିଛନ୍ତି ଯେ ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି ବଢୂଥିବା ଅପରାଧ ପଛରେ ମଦ୍ୟପାନ ଅନ୍ୟତମ। ସେ କହିଛନ୍ତି ଯେ ଏହା ବ୍ୟତୀତ ମଦ ମୁଖ୍ୟତଃ ରାଜ୍ୟରେ ଭୟ, ଅସୁରକ୍ଷିତତା ଏବଂ ରୋଗର କାରଣ ପାଲଟିଛି।