Categories: ଜାତୀୟ

୨୮ବର୍ଷ ପରେ ମିଳିଲା ଚାକିରି

ନୂଆଦିଲ୍ଲୀ, ୨୬।୧୦(ପି.ଟି.)ଭାରତୀୟ ଡାକ ବିଭାଗରେ ଚାକିରି ପାଇଁ ୧୯୯୫ ମସିହାରେ ଆବେଦନ କରିଥିଲେ। ହେଲେ ବିଭାଗୀୟ ତ୍ରୁଟି ଯୋଗୁ ତାଙ୍କୁ ଚାକିରି ମିଳି ପାରି ନ ଥିଲା। ଏବେ ସୁପ୍ରିମକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ବେଲା ଏମ୍‌ ତ୍ରିବେଦୀ ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଅଙ୍କୁର ଗୁପ୍ତା ୧୯୯୫ରେ ପୋଷ୍ଟାଲ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ କରିଥିଲେ। ତାଙ୍କ ନାମ ଚୟନ ପରେ ସେ ଚାକିରି ପୂର୍ବ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ହେଲେ ସେ ଧନ୍ଦାମୂଳକ ଶିକ୍ଷାକେନ୍ଦ୍ରରୁ ଇଣ୍ଟରମିଡିଏଟ୍‌ ଶିକ୍ଷା ଯୋଗ୍ୟତା ହାସଲ କରିଥିବା ଦର୍ଶାଇ ପରବର୍ତ୍ତୀ ସମୟରେ ତାଙ୍କ ନାମ ମେରିଟ୍‌ ଲିଷ୍ଟରୁ ବାଦ୍‌ ଦିଆଯାଇଥିଲା। ଉକ୍ତ ନିର୍ଦ୍ଦେଶ ବିରୋଧରେ ଅଙ୍କୁର ଏବଂ ଅନ୍ୟ କେତେଜଣ ପରୀକ୍ଷାର୍ଥୀ ସେଣ୍ଟ୍ରାଲ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ(କ୍ୟାଟ୍‌)ର ଦ୍ୱାରସ୍ଥ ହୋଇଥିଲେ। ୧୯୯୯ରେ ଟ୍ରିବ୍ୟୁନାଲ୍‌ ଅଙ୍କୁରଙ୍କ ସପକ୍ଷରେ ରାୟ ଦେଇଥିଲେ। ହେଲେ ଉକ୍ତ ରାୟକୁ ଡାକ ବିଭାଗ ଚ୍ୟାଲେଞ୍ଜ କରି ୨୦୦୦ ମସିହାରେ ଆଲ୍ଲାହାବାଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଲ୍ଲାହାବାଦ୍‌ ହାଇକୋର୍ଟ ଡାକ ବିଭାଗ ପକ୍ଷରୁ ହୋଇଥିବା ଆବେଦନକୁ ୨୦୧୭ରେ ଖାରଜ କରିବା ସହ ଟ୍ରିବ୍ୟୁନାଲଙ୍କ ଆଦେଶକୁ କାଏମ ରଖିଥିଲେ। ଏପରି କି ଏହା ଉପରେ ହୋଇଥିବା ରିଭ୍ୟୁ ପିଟିଶନକୁ ୨୦୨୧ରେ ମଧ୍ୟ ଖାରଜ କରିଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ରାୟ ବିରୋଧରେ ଡାକ ବିଭାଗ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Share