ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଲେ ଗୋଟାବାୟା

କଲମ୍ବୋ, ୨୧ା୪: ଶ୍ରୀଲଙ୍କାରେ ଆର୍ଥତ୍କ ସଙ୍କଟ ନେଇ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଥିବାବେଳେ ମଙ୍ଗଳବାର ଅପରାହ୍ନରେ ରାମବୁକାନାଠାରେ ପୋଲିସ ଗୁଳିରେ ପ୍ରଥମ କରି ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କୁ ନ୍ୟାୟ ଦାବିରେ ବହୁସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ତୀବ୍ର କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ହିଂସାକାଣ୍ଡରୁ ବିକ୍ଷୋଭକାରୀ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ତଦନ୍ତ ନିମନ୍ତେ ୨୦ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଗଢ଼ାଯାଇଥିବା ଶ୍ରୀଲଙ୍କା ପୋଲିସ କହିଛି। ଆନ୍ଦୋଳନକାରୀ ଏକ ରେଲଓ୍ବେ ଲାଇନ୍‌ ବ୍ଲକ କରିବା ସହ ଏକ ତେଲ ଟ୍ୟାଙ୍କରକୁ ଅଟକାଇଥିବାବେଳେ ପୋଲିସ ଗୁଳିଚାଳନା କରିଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିବା ସହ ୧୩ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ଉତ୍ତେଜନା ଲାଗିରହିଛି। ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାବାସୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବିଦେଶୀ ପୁଞ୍ଜି ଅଭାବରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରାଯାଇପାରୁ ନାହିଁ। ଫଳରେ ସେଠାରେ ଇନ୍ଧନ ସମସ୍ୟା ଦେଖାଦେବା ସହ ବିଭିନ୍ନ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି। ଆର୍ଥିକ ସଙ୍କଟ ପାଇଁ ଗୋଟାବାୟା ସରକାରଙ୍କୁ ଦାୟୀ କରାଯାଇ ତାଙ୍କ ଇସ୍ତଫା ଲାଗି ଆନ୍ଦୋଳନ ଜାରି ରହିଛି।

 

Share