କଲମ୍ବୋ, ୨୭ା୭: ଶ୍ରୀଲଙ୍କାବରେ ଜନଆନ୍ଦୋଳନ ମୁଣ୍ଡ ଟେକିବା ପରେ ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୀଘ୍ର ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ମଙ୍ଗଳବାର ସେଠାକାର ସର୍ବଦଳୀୟ ସରକାରର ଜଣେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ଗଣମାଧ୍ୟମ ମନ୍ତ୍ରୀ ବନ୍ଦୁଲା ଗୁଣବର୍ଦେନାଙ୍କୁ ଖବରଦାତାମାନେ ଗୋଟାବାୟା କାହିଁକି ସିଙ୍ଗାପୁରରେ ଲୁଚିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବନ୍ଦୁଲା କହିଥିଲେ, ପୂର୍ବତନ ରାଷ୍ଟ୍ରପତି ଆତ୍ମଗୋପନ କରିନାହାନ୍ତି। ବୈଧ ଭିଜା ପାଇଁ ସେ ସିଙ୍ଗାପୁର ଯାଇଛନ୍ତି। ସେ ଶୀଘ୍ର ଶ୍ରୀଲଙ୍କାକୁ ଫେରିବେ। ତାଙ୍କର ଯେପରି କୌଣସି କ୍ଷତି ହେବ ନାହିଁ ସେଥିଲାଗି ଶ୍ରୀଲଙ୍କା ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ବନ୍ଦୁଲା କହିଛନ୍ତି।