କଲମ୍ବୋ,୧୫।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଗୁରୁବାର ମାଳଦ୍ୱୀପରୁ ସିଙ୍ଗାପୁର ଯିବାପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶ୍ରୀଲଙ୍କା ପାର୍ଲାମେଣ୍ଟ ବାଚସ୍ପତି ମହିନ୍ଦା ୟାପା ଆବେୟଓ୍ବର୍ଦେନାଙ୍କ ନିକଟକୁ ଇ-ମେଲ୍ ଜରିଆରେ ଇସ୍ତଫାପତ୍ର ପ୍ରେରଣ କରିଛନ୍ତି। ବାଚସ୍ପତିଙ୍କ କାର୍ଯ୍ୟାଳୟ ରାଷ୍ଟ୍ରପତିଙ୍କ ଇସ୍ତଫା ନେଇ ଆନୁଷ୍ଠାନିକ ଘୋଷଣା ପୂର୍ବରୁ ଏହି ଅନ୍ଲାଇନ୍ ଦସ୍ତାବିଜର ବୈଧତା ଯାଞ୍ଚ କରୁଛି।
ବାଚସ୍ପତିଙ୍କ ଗଣମାଧ୍ୟମ ସଚିବ ଇନ୍ଦୁନିଲ ଆବେୟଓ୍ବର୍ଦେନା କହିଛନ୍ତି, ସିଙ୍ଗାପୁରସ୍ଥିତ ଶ୍ରୀଲଙ୍କା ଉଚ୍ଚାୟୁକ୍ତଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଇସ୍ତଫାପତ୍ର ହସ୍ତଗତ ହୋଇଛି। ବାଚସ୍ପତି ଏନେଇ ଶୁକ୍ରବାର ଘୋଷଣା କରିବେ। ଅନ୍ୟପକ୍ଷେ ଗୋଟାବାୟା ଏକ ଘରୋଇ ଗସ୍ତରେ ସିଙ୍ଗାପୁର ଯାଇଛନ୍ତି। ସେ ଶରଣ ମାଗିନାହାନ୍ତି ବୋଲି ସିଙ୍ଗାପୁର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୋଟାବାୟା ସିଙ୍ଗାପୁରରୁ ସାଉଦି ଆରବ ଯାଇପାରନ୍ତି ବୋଲି କୁହାଯାଉଛି। ସେପଟେ କଲମ୍ବୋରେ ରାଷ୍ଟ୍ରପତି ଭବନକୁ ବିକ୍ଷୋଭକାରୀଙ୍କ କବଳରୁ ମୁକ୍ତ କରାଯାଇଛି। ଏଥିସହ ସବୁ ସରକାରୀ ଅଫିସକୁ ସେନା ଓ ପୋଲିସ ନିଜ ଦଖଲକୁ ନେଇଛନ୍ତି।