ପ୍ରଥମେ ପଳାୟନ, ଏବେ ଇସ୍ତଫା ଦେବାକୁ ରାଜି ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଏବଂ ଅଚଳାବସ୍ଥା ଜାରି ରହିଛି। ପ୍ରଥମେ ପଳାୟନ ପରେ ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପାକ୍ସେ। ଆସନ୍ତା ୧୩ ତାରିଖରେ ସେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଶ୍ରୀଲଙ୍କା ବାଚସ୍ପତି ଏ ସମ୍ପର୍କରେ ସୂଚନା ଦେଇଥିବା ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ପ୍ରକାଶ ଯେ, ଶ୍ରୀଲଙ୍କାର ଆର୍ଥିକ ଦୁର୍ଗତି ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ମାର୍ଚ୍ଚରୁ ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ଦାବି କରିଆସୁଥିଲେ ବିରୋଧୀ। ମାସ ମାସ ଧରି ଆନ୍ଦୋଳନ ପରେ ବି ସେ ଗାଦି ନ ଛାଡ଼ିବାରୁ ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ବାସଭବନକୁ ଧସେଇ ପଶିଥିଲେ। ଫଳରେ ବାଧ୍ୟ ହୋଇ ଗୋଟବାୟା ପଳାୟନ କରିଥିଲେ। ସ୍ଥିତିକୁ ଦେଖି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେ ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଦେଶରେ ସର୍ବଦଳୀୟ ସରକାର ଗଠନ ହେବ ବୋଲି କୁହାଯାଉଛି।

Share