ଭୁବନେଶ୍ୱର,୨୫।୭: ରାଜ୍ୟରେ ଭାଜପା ସରକାର ପ୍ରଥମ ବଜେଟ ଆଗତ କରିଛନ୍ତି । ଅର୍ଥବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝି ଗୁରୁବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ବଜେଟରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୧ ହଜାର କୋଟି ବ୍ୟୟବରାଦ କରାଯାଇଛି। ୨୦୨୭ ସୁଦ୍ଧା ଭୁବନେଶ୍ବର-ତ୍ରିଶୁଳିଆ ମେଟ୍ରୋ ରେଳ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଯାଏ ମେଟ୍ରୋ ରେଳ ଚାଲିବ।
ବଜେଟରେ ବିଜେଡି ସରକାର ଆଣିଥିବା ଯୋଜନା ଗୁଡିକ ମୋହନ ସରକାର ପରିବର୍ତ୍ତନ କରିଛନ୍ତି । ଅଧିକାଂଶ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ବିଜେଡି ଓ ବିଜୁ ଛାପ ହଟାଯାଇଛି। ଭାଜପା ଯେଉଁସବୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ ପାଇଁ ମଧ୍ୟ ଏହି ବଜେଟରେ ବ୍ୟୟବରାଦ ହୋଇଛି । ଏହାସହିତ ଭାଜପା ସରକାର ମୋଟ ବଜେଟର ୧୬.୦୪% ଋଣ ଆଣି ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବେ ବୋଲି ଜଣାପଡିଛି।