କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍‌ ଘୋଷଣା କଲେ ସରକାର

ଭୁବନେଶ୍ୱର,୧୧ା୨: କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍‌ ମିଳିବ ବୋଲି ରବିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ବଲପୁର ଚାରମାଳ ଗସ୍ତରେ ଥାଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗ ଦେଇ ଏପରି ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍‌ ମିଳିବ। ପୂର୍ବରୁ ମିଳୁଥିବା ୨୫ ପ୍ରତିଶତ ବୋନସ୍‌କୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିରୁ ରାଜ୍ୟର ୮ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ସରକାର ୯୮ କୋଟି ଖର୍ଚ୍ଚ କରିବେ।

ସେହିପରି ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଇନ୍‌ସେଟିଭ୍‌ ଦୁଇଗୁଣ ବଢ଼ି ୫ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏଥିଲାଗି ସରକାର ୧୧ କୋଟି ଖର୍ଚ୍ଚ କରିବେ। ରାଜ୍ୟରେ ଥିବା ୪୦ ହଜାର ବନ୍ଧାଳି ଓ ସିଜନାଲ ଷ୍ଟାଫ୍‌ ଏଥିରୁ ଉପକୃତ ହେବେ। ସେହିପରି ଋତୁକାଳୀନ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି ସରକାର। ସେମାନଙ୍କର ଦରମା ବୃଦ୍ଧି ଦାବି ପୂରଣ ହୋଇଛି। ହେଡ ଚେକରଙ୍କ ମାସିକ ଦରମା ୨୨ ହଜାର ୬୩୧ ରୁ ୨୪ ହଜାର ୪୨୦କୁ ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା ୪ ଶହ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସର୍କଲ ଚେକରଙ୍କ ଦରମା ୧୭ ହଜାର ୭୪୦ରୁ ୨୧ ହଜାରରୁ ଅଧିକ ହୋଇଛି। ଡିଏ ୩୦୦ ରୁ ୪୫୦କୁ ବୃଦ୍ଧି ପାଇଛି। ସେହିପରି ବନ୍ଧାଳି ଚେକରଙ୍କ ଦରମା ୧୪ ହଜାର ୮୦୦ ଟଙ୍କାରୁ ୧୭ ହଜାର ୬୮୦କୁ ବୃଦ୍ଧି ପାଇଛି। ଡିଏ ୨ଶହରୁ ୩ଶହ ଟଙ୍କାକୁ ବୃଦ୍ଧି ପାଇଛି। ମୁନସିଙ୍କ ଦରମା ୧୨ ହଜାର ୪୨୦ରୁ ୧୫ ହଜାର ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। ମୁନସି-୨ଙ୍କ ଦରମା ୯ ହଜାର ୮୫୦ରୁ ୧୨ ହଜାର ୩୮୫ ଟଙ୍କାକୁ ବୃଦ୍ଧି ପାଇଛି।

Share