ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଶିକ୍ଷା ପାଇଁ ଅନେକ ସମୟରେ ଟଙ୍କା ବାଧକ ସାଜୁଛି। ଏଥିଲାଗି କେତେକ ମେଧା ଛାତ୍ରୀଛାତ୍ର ସ୍ବପ୍ନ ପୂରଣ କରିବାକୁ ଅସମର୍ଥ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଏଣିକି ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ମେଧାବୀ ଛାତ୍ରୀଛାତ୍ରଙ୍କୁ ଜେଇଇ ଓ ନିଟ୍ ପାଇଁ କୋଚିଂ ଦିଆଯିବ। ମାଟ୍ରିକରେ ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ରୀଛାତ୍ରଙ୍କୁ ଏହି କୋଚିଂ ଦିଆଯିବ। ରାଜ୍ୟର ଅପଗ୍ରେଡ୍ ହୋଇଥିବା ୧୦୧ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା କରିଛି । ଉପାନ୍ତ ଅଞ୍ଚଳରେ ଯୁକ୍ତ ଦୁଇ କଲେଜ ଦୂରରେ ଥିବାରୁ ଛାତ୍ରୀଛାତ୍ରୀୟ ମାଟ୍ରିକ ପରେ ଆଉ ପାଠ ପଢୁ ନ ଥିଲେ । ଏଭଳି ସ୍କୁଲକୁ ଚୟନ କରି ଅପଗ୍ରେଡ କରାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତାକୁ ସରକାରୀ ସ୍କୁଲରେ ଦୋହରାଇବାକୁ ରାଜ୍ୟ ସରକାରଙ୍କ ଏହା ମାଷ୍ଟର ପ୍ଲାନ ବୋଲି କୁହାଯାଉଛି।