Categories: ଜାତୀୟ

ନେତାଙ୍କ ନାଁରେ ଆପରାଧିକ ମାମଲାକୁ ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ ସରକାର

ନୂଆଦିଲ୍ଲୀ, ୧୦ା୮: କୌଣସି ଏମ୍‌ପି କିମ୍ବା ବିଧାୟକଙ୍କ ନାମରେ ଆପରାଧିକ ମାମଲା ଥିଲେ ତାହାକୁ ରାଜ୍ୟ ସରକାର ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ। ଏଣିକି ଏଥି ଲାଗି ହାଇକୋର୍ଟଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଆପରାଧିକ ମାମଲା ଥିବା ଜନପ୍ରତିନିଧିଙ୍କୁ ନିର୍ବାଚନ ଲଢ଼ିବାକୁ ଦିଆ ନ ଯିବା ପାଇଁ ୨୦୧୬ରେ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରମିକୋର୍ଟ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।

ଆମିକସ୍‌ କ୍ୟୁରି ବିଜୟ ହଁସାରିଆଙ୍କ ରିପୋର୍ଟ ଆଧାରରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନା, ଜଷ୍ଟିସ୍‌ ବିନିତ ସରନ, ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଉକ୍ତ ରାୟ ଦେଇଛନ୍ତି। ରିପୋର୍ଟ ମୁତାବକ, ଦୁଇ ବର୍ଷରୁ କମ୍‌ ସମୟ ମଧ୍ୟରେ ପୂର୍ବତନ ଓ ବର୍ତ୍ତମାନର ଏମ୍‌ପି ଏବଂ ବିଧାୟକଙ୍କ ନାମରେ ଆପରାଧିକ ମାମଲା ୧୭ ପ୍ରତିଶତ ବୃଦ୍ଧି ପାଇଛି। ରାଜ୍ୟ ସରକାରମାନେ ସେମାନଙ୍କ ଏମ୍‌ପି ଏବଂ ବିଧାୟକଙ୍କ ନାମରେ ଥିବା ମାମଲାକୁ ପ୍ରତ୍ୟାହାର କରି ନେଉଛନ୍ତି। କର୍ନାଟକ ସରକାର ୬୧ ଜଣଙ୍କ ନାଁରେ ଥିବା ମାମଲା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ସରକାର ମଧ୍ୟ ଅନୁରୂପ କାମ କରିଛନ୍ତି। ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିନା ମାମଲା ପ୍ରତ୍ୟାହାର ହେବା ଉଚିତ ନୁହେଁ ବୋଲି ବିଜୟ ହଁସାରିଆଙ୍କ ରିପୋର୍ଟରେ ଦର୍ଶାଯାଇଥିଲା।

Share