Categories: ଜାତୀୟ

୭ରୁ ୧୧ବର୍ଷର ପିଲାଙ୍କୁ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ

ନୂଆଦିଲ୍ଲୀ,୨୫।୬: ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍‌ ଇଣ୍ଡିଆର ଏକ ବିଶେଷଜ୍ଞ କମିଟି ଶୁକ୍ରବାର ୭ରୁୁ ୧୧ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ ଇନ୍‌ଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ କରିବାକୁ ସୁପାରିଶ କରିଛି। ଶନିବାର ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ତେବେ ଅନ୍ତିମ ଅନୁମୋଦନ ପାଇଁ ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)କୁ ଏହି ସୁପାରିଶ ପଠାଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ସେରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)ର ସରକାରୀ ତଥା ନିୟାମକ ମାମଲାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ମାର୍ଚ୍ଚ ୧୬ରେ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଆବେଦନ କରିଥିଲେ। ଅନ୍ୟପଟେ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସ୍‌ସିଓ)ର ବିଷୟ ବିଶେଷଜ୍ଞ କମିଟି (ଏସ୍‌ଇସି) କୋଭିଡ-୧୯ ଉପରେ ଏସ୍‌ଆଇଆଇର ଏହି ଆବେଦନ ଉପରେ ବିଚାର ବିମର୍ଶ କରିଥିଲା। ଏହାପରେ ୭ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ଦେବାକୁ ସୁପାରିଶ କରିଛି। ବିଶେଷଜ୍ଞ କମିଟି ଏପ୍ରିଲରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ପୁଣେ ସ୍ଥିତ ଏହି କମ୍ପାନୀଠାରୁ ଉକ୍ତ ଆବେଦନ ଉପରେ ଅଧିକ ସୂଚନା ମାଗିଥିଲା।

Share