ବେସରକାରୀ ଜମି ଉପରେ ସରକାରୀ କମ୍ୟୁନିଟି ସେଣ୍ଟର

କେନ୍ଦୁଝର,୩୦।୩(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଜଙ୍ଘିରା ପଞ୍ଚାୟତ ୱାର୍ଡ ନଂ୬ ବାଥୁଡି ସାହିରେ ଥିବା ଏକ କମ୍ୟୁନିଟି ଘରକୁ ନେଇ ବିବାଦ ଦେଖାଦେଇଛି। ଏକ ବେସରକାରୀ ଆଦିବାସୀଙ୍କ ପଟ୍ଟାଭୂକ୍ତ ଜମିରେ କମ୍ୟୁନିଟି ସେଣ୍ଟର ଆରମ୍ଭ ହେବା ପରେ ଏହାକୁ ବିରୋଧ କରାଯାଇଛି। ଉକ୍ତ ଗ୍ରାମର ପୂର୍ଣ୍ଣିମା ନାଏକ ଏବଂ ଅନ୍ୟ ଲୋକମାନେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଜଣାଇଥିଲେ। ଅଭିଯୋଗ ଆଧାରରେ କେନ୍ଦୁଝର ସଦର ଉପ-ଜିଲାପାଳ ରାମଚନ୍ଦ୍ର କିସ୍କୁ ଏହାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ହରିଚନ୍ଦନପୁର ତହସିଲ ପକ୍ଷରୁ ଏହାର ଯାଞ୍ଚ କରାଯାଇ ପ୍ଲଟ ନଂ୬ ବାଥୁଡିସାହିରେ ନିର୍ମାଣଧିନ କମ୍ୟୁନିଟି ସେଣ୍ଟର ଜଙ୍ଗିରା ମୌଜାରେ ପ୍ଲଟ ୨୨୦,ଖାତା ନଂ ୧୪୭ରେ ନରୋତ୍ତମ ନାଏକ ଏବଂ ପ୍ଲଟ ନଂ ୨୨୧ ଖାତା ନଂ ୧୧୨ରେ ଜୁଆଙ୍ଗୁଣି ନାଏକ ଜାଗା ଉପରେ ହୋଇଛି ବୋଲି ରିପୋର୍ଟ ପ୍ରଦାନ କରାଯାଇଥିଲା। ଅଭିଯୋଗ ପରେ କାମ ବନ୍ଦ ରହିଛି। ତେବେ ବ୍ଲକ ପକ୍ଷରୁ କାମ ଆରମ୍ଭ ପୂର୍ବରୁ ଜାଗାର ମାପଚୁପ ନ କରି କିପରି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଗଲା ତାହା ତଦନ୍ତ ସାପେକ୍ଷ।

Share