ନିର୍ବାଚନ ପୂର୍ବରୁ ଦେଶର କୃଷକଙ୍କୁ ମିଳିବ ଆଉ ଏକ ଭେଟି! ମୋଦି ସରକାର ବଢ଼ାଇବେ ପିଏମ୍‌ କିଶାନ ଯୋଜନାରେ ମିଳୁଥିବା କିସ୍ତି

ନୂଆଦିଲ୍ଲୀ,୧୧।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଦେଶର କୃଷକମାନଙ୍କୁ ବଡ଼ ଉପହାର ଦେଇ ପାରନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ସ୍କିମ ଅନୁଯାୟୀ ମିଳୁଥିବା ଅର୍ଥରାଶିକୁ ୩୩% ଅଧିକ ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏଣୁ ପିଏମ୍‌ କିଶାନରେ ମିଳୁଥିବା ୬୦୦୦ ଟଙ୍କା ରାଶି ବଢ଼ି ୮୦୦୦ ଟଙ୍କା ହୋଇଯିବ। ଏହି ନିଷ୍ପତ୍ତି ଯୋଗୁ ସ୍କିମ ସହ ଜଡ଼ିତ ୧୧ କୋଟିରୁ ଅଧିକ କୃଷକ ଉପକୃତ ହେବେ। ତେବେ ଯଦି ମୋଦି ସରକାର କୃଷକଙ୍କୁ ଦେଉଥିବା ଟଙ୍କାକୁ ୨୦୦୦ ବୃଦ୍ଧି କରନ୍ତି ତେବେ ୨୦୧୯ ଭଳି ଏହା ମଧ୍ୟ ମାଷ୍ଟର ଷ୍ଟ୍ରୋକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ସରକାର ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଯଦି ଯୋଜନାର ରାଶି ବୃଦ୍ଧି କରାଯାଏ ତେବେ ଏହାଦ୍ୱାରା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିର ବଜେଟ ୬୦,୦୦୦ ଟଙ୍କାରୁ ବଢ଼ି ୮୦,୦୦୦ ଟଙ୍କା ହୋଇଯିବ। ହେଲେ ଏହି ସମ୍ବନ୍ଧରେ ସରକାରଙ୍କ ତରଫରୁ ଆଧିକାରିକ ଘୋଷଣା ହୋଇନାହିଁ। ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସରକାର ଏନେଇ ଶୀଘ୍ର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ପ୍ରକାଶ ଯେ, ଗତ କିଛି ଦିନ ଧରି କେନ୍ଦ୍ର ସରକାର ଭୋଟ ବ୍ୟାଙ୍କକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଉଛି। ନିକଟରେ ସରକାରଙ୍କ ପକ୍ଷରୁ ଉଜ୍ଜଳା ଯୋଜନା ଅନୁଯାୟୀ ମିଳୁଥିବା ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଉପରେ ୩୦୦ ଟଙ୍କା ସବସିଡି ବୃଦ୍ଧି କରାଯାଇଛି। ଏହାଛଡ଼ା ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ୨୦୦ ଟଙ୍କା ସବସିଡି ମିଳୁଛି।

Share