ସରକାରୀ କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୫୦୦ରୁ ଅଧିକ ମାମଲା ଦୃଷ୍ଟିକୁ ଆସୁଛି। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାକୁ ଲାଗିଲେଣି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଆରମ୍ଭ କରିଛନ୍ତି। ଆସନ୍ତା ୩୧ ପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନେ ଭୁବନେଶ୍ୱରରେ ରହିଥିବା ନିଜସ୍ବ ଅଫିସ ଆସିପାରିବେ ନାହିଁ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକ ମହାନଗର ଏବଂ ଖୋର୍ଦ୍ଧା ପୌରାଞ୍ଚଳକୁ ଛାଡି ଅନ୍ୟ ସ୍ଥାନରୁ ଆସୁଥିବା ସରକାରୀ କର୍ମଚାରୀମାନଙ୍କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଥିବା ବିଭିନ୍ନ ସରକାରୀ ଅଫିସକୁ ନ ଆସିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୋଭିଡ୍‌-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଆବଶ୍ୟକସ୍ଥଳେ ଟେଲିଫୋନ୍‌/ଫ୍ୟାକ୍ସ/ଇମେଲରେ ଯୋଗାଯୋଗ କରିବାକୁ ରାଜଭବନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରାଜଧାନୀର ଦୁଇଟି ଆର୍‌ଟିଓ କାର୍ଯ୍ୟାଳୟ( ୧ ଏବଂ ୨)କୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଯେହେତୁ ମଙ୍ଗଳବାର ଆର୍‌ଟିଓ ୧ କାର୍ଯ୍ୟାଳୟର ୩ଜଣ କର୍ମଚାରୀଙ୍କ କରୋନା ପଜିଟିଭ ଚିହ୍ନଟ ହେଲା, ଏହାପରେ ସେମାନଙ୍କ ସହ ଅନ୍ୟ ଅଧିକାରୀମାନେ ମିଶିଥିବା ଆଶଙ୍କାରେ ବନ୍ଦ କରାଯାଇଛି। ସେହିପରି ଉଭୟ ଆର୍‌ଟିଓ କାର୍ଯ୍ୟାଳୟକୁ ମଧ୍ୟ ସାନିଟାଇଜ କରାଯାଉଛି।
କିଛିଦିନ ତଳେ ସାଧାରଣ ଲୋକମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ଲାଗି ବାରଣ କରାଯାଇଥିଲା । ସେହିପରି ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ କାର୍ଯ୍ୟ କରିବାକୁ ଘୋଷଣା ହୋଇଥିଲା। ବର୍ତ୍ତମାନ ଅଫିସରଙ୍କ ଅଫିସ ଆସିବା ଉପରେ ସରକାର କଟକଣା ଲଗାଇଛନ୍ତି।

Share