ସାଇବର ଠକେଇରେ ସରକାରୀ କର୍ମଚାରୀ: ପୁରସ୍କାର ଲୋଭରେ ହରାଇଲେ ୨ଲକ୍ଷ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜଧାନୀରେ ଆଉଏକ ସାଇବର ଠକେଇ ଘଟଣା ଘଟିଛି। ଠକେଇର ଶିକାର ହୋଇଛନ୍ତି ଶହୀଦନଗର ଥାନା ଅନ୍ତର୍ଗତ ଆଇଏମ୍‌ଏମ୍‌ଟି କ୍ୟାମ୍ପସରେ ରହୁଥିବା ଗିରିରାଜ ଦର୍ଜୀ। ସାଇବର ଠକମାନେ ତାଙ୍କୁ ପୁରସ୍କାରର ଲୋଭ ଦେଖାଇ ପାଖାପାଖି ୨ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ଗିରିରାଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଗିରିରାଜ ନିଜ ଭଉଣୀଙ୍କ ଆଣ୍ଠୁଗଣ୍ଠି ସମସ୍ୟାର ଉପଚାର ନିମନ୍ତେ ଅନ୍‌ଲାଇନ୍‌ରେ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଆୟୁର୍ବେଦିକ ଔଷଧ ମଗାଉଥିଲେ। ଗତ ଜୁଲାଇ ୨୯ରେ ଗିରିରାଜଙ୍କ ଫୋନ୍‌କୁ ପ୍ରଥମେ ଏକ ମେସେଜ ଓ ପରେ ଫୋନ୍‌ କଲ ଆସିଥିଲା। ନିୟମିତ ଆୟୁର୍ବେଦିକ ତେଲ ମଗାଇଥିବାରୁ ଲକି ଡ୍ର’ରେ ୮ଲକ୍ଷ ୫୦ହଜାର ଟଙ୍କାର ପୁରସ୍କାର ଜିତିଥିବା ନେଇ କଲ୍‌ କରିଥିବା ବ୍ୟକ୍ତିଜଣକ ଗିରିରାଜଙ୍କୁ କହିଥିଲେ। ଏଥିସହ ପୁରସ୍କାର ରାଶି ପାଇବା ପାଇଁ ଏକ ଫର୍ମ ପୂରଣ କରି ରେଜିଷ୍ଟ୍ରେଶନ କରିବାକୁ କହିଥିଲେ। କିନ୍ତୁ ଗିରିରାଜ ନ କରିବାରୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ବାରମ୍ବାର ଫୋନ୍‌ କରି ପୁରସ୍କାର ଟଙ୍କା କମ୍ପାନୀ ପାଖକୁ ଫେରି ପଳାଇବ ବୋଲି କହୁଥିଲେ। ଶେଷରେ ଲୋଭରେ ଗିରିରାଜ ସମସ୍ତ ତଥ୍ୟ ଦେଇ ରେଜିଷ୍ଟ୍ରେଶନ କରିଥିଲେ। ଏଥିସହ ରେଜିଷ୍ଟ୍ରେଶନ ଚାର୍ଜ, ବିଳମ୍ବ ରେଜିଷ୍ଟ୍ରେଶନ ଓ ଟ୍ୟାକ୍ସକୁ ମିଶାଇ ୮ହଜାର ଟଙ୍କା ନେଇଥିଲେ। ପରେ ଅନ୍ୟ କେତେକ ଲୋଭ ଦେଖାଇ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨ଲକ୍ଷ ଟଙ୍କା ନେଇଯାଇଥିଲେ। ଗିରିରାଜ ଧାରଉଧାର କରି ଉକ୍ତ ଟଙ୍କା ଦେଇଥିଲେ। ଠକମାନେ ତାଙ୍କୁ ଟଙ୍କା କିମ୍ବା କାର୍‌ ନେଇପାରିବେ ବୋଲି କହିବାରୁ ଗିରିରାଜ ଟଙ୍କା ନୋବକୁ କହିଥିଲେ। ପରେ ଉକ୍ତ ବ୍ୟକ୍ତି ଜଣକ ସମୟ ଗଡ଼ାଇ ଚାଲିବା ସହ ଫୋନ୍‌ ଉଠାଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଗିରିରାଜ ଥାନାର ଦ୍ୱାରସ୍ଥ ହୋଇଥିଲେ।

Share