ଆଜିଠୁ ଟିକା ନେବେ ସରକାରୀ କର୍ମଚାରୀ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ସମସ୍ତ ନିର୍ଦ୍ଦେଶାଳୟ, ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଓ ସରକାରଙ୍କ ଅଧୀନରେ ଥିବା ରାଜ୍ୟ ପିଏସ୍‌ୟୁଗୁଡ଼ିକର କର୍ମଚାରୀମାନେ ଟିକା ନେବେ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ଗୁରୁବାରଠାରୁ ଏହି ଟିକାକରଣ ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆରମ୍ଭ ହେଉଛି। ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ନ ଥିବାରୁ କର୍ମଚାରୀମାନେ ପଛ ଗେଟ୍‌ ଦେଇ କନ୍‌ଭେନ୍‌ଶନ ସେଣ୍ଟର ଟିକାକରଣ କେନ୍ଦ୍ରକୁ ଯିବେ। ସାଧାରଣ ପ୍ରଶାସନ ବିଭାଗ, ବିଏମ୍‌ସି, କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ କନ୍‌ଭେନ୍‌ଶନ୍‌ ସେଣ୍ଟରରୁ ଲୋକସେବା ଭବନକୁ ଯବାକୁ ଥିବା ଗେଟ୍‌ ବନ୍ଦ ରହିବ। ଯେଉଁ ଅଧିକାରୀ ବା କର୍ମଚାରୀମାନେ ଟିକା ନେବେ ସେମାନେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁମୋଦିତ ଚିଠିର ଏକ ନକଲ ସହିତ ନିଜର ପରିଚୟପତ୍ର ଆଣିବାକୁ ପଡ଼ିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ସଚିବ ଅବନିକାନ୍ତ ପଟ୍ଟନାୟକ ବୁଧବାର ଗୃହ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

Share